ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ ଶାସକ ବିଜୁ ଜନତା ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀଙ୍କୁ ବେଶ ଧୁମଧାମର ସହ ପାଳନ କରୁଥିବା ବେଳେ ଅନ୍ୟପଟେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମୋଦୀ ଓ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ପବନ ଖେରା । ସେ କହିଛନ୍ତି ଓଡିଶାରେ ମୋଦୀ ଓ ତାଙ୍କ ବନ୍ଧୁଙ୍କ ଶାସନ ଚାଲିଛି । ଏମାନଙ୍କ ଶାସନ ଅମଳରେ ସ୍କାମ ବ୍ୟତୀତ କଣ ମିଳିଛି ଓଡିଶାକୁ ।
ସେ କହିଛନ୍ତି ବିଜେପି ଓ ବିଜେଡି ଭିତରେ ସଂପର୍କ ଏମିତି ନିବିଡ ଯେ, ଭିକେ ପାଣ୍ଡିଆନଙ୍କୁ ୨୪ ଘଂଟା ଭିତରେ ଭିଆରଏସ ଦେଇଦେଲେ କେନ୍ଦ୍ର ସରକାର । ଚିଟଫଣ୍ଡ, ମାଇନିଂ ସ୍କାମରେ ଓଡିଶାର କଣ ଲାଭ ହୋଇଛି । ଆଜି ଯାଏ କ୍ଷତିଗ୍ରସ୍ତକୁ କଣ ମିଳିଛି ? କେନ୍ଦ୍ରରେ ମୋଦୀ ଏବଂ ଏଠି ତାଙ୍କ ବନ୍ଧୁ ଶାସନ କରୁଛନ୍ତି । ରାଜ୍ୟରେ ବହୁ ବଡ ବଡ ଲୋକଙ୍କ ନାଁରେ ସିବିଆଇ କେସ୍ ଅଛି, କଣ ହୋଇଛି ତାଙ୍କର । ସବୁଠି ଇଡି ରେଡ୍ କରୁଛି, କିନ୍ତୁ ଓଡିଶାରେ କାହିଁକି ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଠାରେ ବିଜେପି ଓ ବିଜେଡି ମିଶି କି ପାର୍ଟନରସିପ ସରକାର ଚଳାଇଛନ୍ତି । ଏଥର ନିର୍ବାଚନରେ କଂଗ୍ରେସ ରାଜ୍ୟରେ ୧୦ରୁ ୧୨ ଲୋକସଭା ଓ ୯୦ ବିଧାନସଭା ସିଟ୍ ପାଇବ । ଖୁବ୍ ଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ପବନ ଖେରା କହିଛନ୍ତି ।
ସୂଚନାଯୋଗ୍ୟ, ନିର୍ବାଚନ ପାଖେଇବା ସହ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଓଡିଶାରେ ଦ୍ୱିମୁଖୀ ନାଁ ତ୍ରିମୁଖୀ ଲଢେଇ ହେବ ତାହା କହିବା ମୁସ୍କିଲ । କାରଣ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ଚର୍ଚ୍ଚା ଲାଗି ରହିଛି । ଯଦି ମେଂଟ ହୁଏ ତେବେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ହେବ । ମେଂଟ ନ ହେଲେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତରୁ ରାଜ୍ୟରେ ମେଂଟ ନେଇ ଚିତ୍ର କିଛିଟା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।