ପ୍ରଫୁଲ୍ଲଙ୍କ ପୁଅକୁ ୧୮ ଘଂଟା ଜେରା କଲା ଇଡି, ବାହାରିବା ପରେ କହିଲେ- ମୋତେ କିଛି ପଚାରି ନାହାନ୍ତି


ଭୁବନେଶ୍ୱର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ରାତି ସାରା ଜେରା କରିଛି । ଦୀର୍ଘ ୧୮ ଘଂଟାର ଜେରା ପରେ ଭୋର ସାଢେ ୪ଟାରେ ଇଡି ଅଫିସରୁ ବାହାରିଛନ୍ତି ପ୍ରୟାସକାନ୍ତି । ଏହି ସମୟରେ ଇଡିର ଅଧିକାରୀ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ଏତେ ପରେ ବି ପ୍ରଫୁଲ୍ଲଙ୍କ ପୁଅ କହିଛନ୍ତି ମୋତେ କିଛି ପଚରା ଯାଇନି । ଦରକାର ହେଲେ ପୁଣି ଥରେ ସେ ଇଡିରେ ହାଜର ହେବେ ।

ସୂଚନାଯୋଗ୍ୟ, ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଏହା ପରେ ଦୀର୍ଘ ୧୮ ଘଂଟା ଧରି ଇଡିତ ଅଧିକାରୀ ତାଙ୍କୁ ଜେରା କରିଥିଲେ । ଭୋର ସକାଳ ସାଢେ ୪ଟାରେ ଇଡି ଅଫିସରୁ ବାହାରିବା ପରେ ପ୍ରୟାସକାନ୍ତି ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ କହିଛନ୍ତି ମୋତେ କିଛି ପଚରା ଯାଇ ନାହିଁ । ପୁଣି ଆପଣଙ୍କ ସହ ଦେଖାହେବ ।

ସୂଚନା ଅନୁଯାୟୀ, ଜବତ ହୋଇଥିବା ମୋବାଇଲରେ ଜମି ଦୁର୍ନୀତିର ସୁରାକ ପାଇଛି ଇଡି । ସେଥିରେ ଡିଲିଟ୍ ହୋଇଥିବା ତଥ୍ୟ ପାଇବାକୁ ଉଦ୍ୟମ ଚଳାଇଛନ୍ତି ସାଇବର ଏକ୍ସପର୍ଟ । ତେବେ ଇଡିରେ ରହଣି କାଳରେ ୩ଟି ଟିମ୍ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି । ଦରକାର ପଡିଲେ ପ୍ରୟାସକାନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟରେ ପୁଣି ଥରେ ହାଜର ହୋଇ ପାରନ୍ତି । ଏହା ପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କୁ ଇଡି ୮ ଘଂଟା ଧରି ଜେରା କରିଥଲା ।

ସୂଚନାଯୋଗ୍ୟ, ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଚଢଉ କରିଥିଲେ । ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଏହି ଚଢଉ ହୋଇଥିଲା । ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢାଉ କରିଥିଲା । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରିଥିଲେ । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଥିଲା । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଥିଲା।

ସେହିପରି ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ଚଢଉ କରିଥିଲା । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଥିଲା ।