Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ରାଜନୀତିରେ ବଡ଼ ଟୁଇଷ୍ଟ, ମନମୋହନ କହିଲେ- ମେଣ୍ଟ ହେବନି, ରାଜ୍ୟରେ ଏକା ଲଢିବ ବିଜେପି

ଭୁବନେଶ୍ଵର: ଦିଲ୍ଲୀରୁ ଫେରି ବଡ଼ ବ୍ରେକିଂ ନ୍ୟୁଜ୍ ଦେଲେ ବିଜେପି ସଭାପତି ମନମୋହନ ସାମଲ। ବିମାନ ବନ୍ଦରରୁ ବାହାରିବା ପରେ ଗଣାମଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି। ଓଡ଼ିଶାରେ ବିଜେପି ଏକାକୀ ଲଢିବ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ଲଢିବ। ସେ ପୁଣି ଥରେ ଏକାକୀ ଲଢିବା କଥା ଦୋହରାଇଛନ୍ତି। କେନ୍ଦ୍ରରେ ଓ ରାଜ୍ୟରେ ବିଜେପି କେମିତି ସରକାର ଗଢିବ ସେ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ମନମୋହନ।

ଗତ ଏକ ସପ୍ତାହ ଧରି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜ୍ୟଠୁ ନେଇ ଜାତୀୟ ଗଣମାଧ୍ୟମ ସବୁଠି ଚର୍ଚ୍ଚା ଜୋର ଧରିଥିଲା। ଏକପରିକି ସିଟ୍ ବିଜେଡି ଓ ବିଜେପି ମଧ୍ୟରେ ସେୟାରିଂ ଫର୍ମୁଲା ୧୦୦-୪୭ ଏବଂ ୭-୧୪ ହିସାବ ଘୁରି ବୁଲୁଥିଲା। ଅର୍ଥାତ ବିଜେଡି ୭ ଏବଂ ବିଜେପି ୧୪ ଲୋକସଭା ସିଟରେ ନିର୍ବାଚନ ଲଢିବ।ସେହିପରି ବିଜେଡି ନିଜ ପାଖରେ ୧୦୦ ବିଧାନସଭା ଏବଂ ବିଜେପିକୁ ୪୭ ବିଧାନସଭା ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଚ୍ଚ ୫ ତାରିଖରେ ଚଣ୍ଡିଖୋଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଯେଉଁ କେମେଷ୍ଟ୍ରି ଦେଖିବାକୁ ମିଳିଲା ତାହା ମେଣ୍ଟ ଚର୍ଚ୍ଚାକୁ ଆହୁରି ଜୋରଦାର କରିଥିଲା। ତେବେ ମୋଦୀଙ୍କ ଗସ୍ତ ପରେ ତୁରନ୍ତ ରାଜ୍ୟ ବିଜେପିର ନେତୃବୃନ୍ଦଙ୍କୁ ଦିଲ୍ଲୀରୁ ଡକରା ଆସିଲା। ମାର୍ଚ୍ଚ ୬ ତାରିଖରେ ଗୋଟିଏ ପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିଥିଲା।

ସେପଟେ ଦିଲ୍ଲୀରେ କେନ୍ଦ୍ରୀୟ ନେତା ଓ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଦୁଇ ଦଳର ନେତା  ମେଣ୍ଟ ହେଉଥିବା ନେଇ ସଙ୍କେତ ଦେଇଥିଲେ। ଏହା ପରେ ସିଟ୍ ଭାଗବଣ୍ଟା ନେଇ ଅଙ୍କକଷା ଚାଲିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଫାଇଭ ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗଲେ। ଆଶା କରାଯାଉଥିଲା ସିଟ୍ ଭାଗବଣ୍ଟାର ଅଙ୍କ ଛିଣ୍ଡିଯିବ ଏବଂ ଶୀଘ୍ର ମେଣ୍ଟର ଆନୁଷ୍ଠାନିକ ଘୋଷଣା ହେବ। ଆଜି ଅପରାହ୍ଣରେ ଦୁଇ ବିଜେଡି ନେତା ଭୁବନେଶ୍ଵର ଫେରିଲେ। କିନ୍ତୁ କିଛି ସୂଚନା ମିଳି ପାରି ନ ଥିଲା।

ହେଲେ ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ଵରରେ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ବିଜେପି କାହା ସହ ମେଣ୍ଟ ହେଉ ନ ଥିବା କହି ଓଡ଼ିଶା ରାଜନୀତିରେ ବଡ଼ ଟୁଇଷ୍ଟ ଆଣିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମେଣ୍ଟ ହେବନି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଏକାକୀ ନିର୍ବାଚନ ଲଢିବ। ମେଣ୍ଟ ନେଇ କିଛି ଆଲୋଚନା ହୋଇନି। ଏକା ଲଢିବୁ ଆଉ ସରକାର କରିବୁ। ତେବେ ମନମୋହନ ସାମଲଙ୍କ ଏହି ମନ୍ତବ୍ୟ କଣ ରାଜ୍ୟ ରାଜନୀତି କେଉଁ ଦିଗକୁ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା। ଯଦି ରାଜ୍ୟ ବିଜେପି ଏବଂ କେନ୍ଦ୍ର ବିଜେପିର ଏହା ଚୂଡ଼ାନ୍ତ ନିଷ୍ପତ୍ତି ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

More Stories