ରାଜ୍ୟ ବିଜେପି ନୁହେଁ, ବିଜେଡି ଓ କେନ୍ଦ୍ର ବିଜେପି ନେତା ଚାହୁଁଛନ୍ତି ମେଂଟ


ଭୁୁବନେଶ୍ୱର: ଗତ ସପ୍ତାହେ ଧରି ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ହେଉଥିବା ଚର୍ଚ୍ଚା ଉପରେ ଗତକାଲି ଟୁଇଷ୍ଟ ଦେଖିବାକୁ ମିଳିଛି । କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ପରେ ଗତକାଲି ରାତିରେ ନୂଆଦିଲ୍ଲୀରୁ ଭୁୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନ ବନ୍ଦର ବାହାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ରାଜ୍ୟରେ କାହା ସହ ବିଜେପି ମେଂଟ କରିବ ନାହିଁ । ଏକାକୀ ନିର୍ବାଚନ ଲଢିବ । ତେବେ ତାଙ୍କର ଏମିତି ମନ୍ତବ୍ୟକୁ ସହଜରେ ଗ୍ରହଣ କରି ହେଉ ନ ଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ବିଗତ ଦିନର ରାଜନୀତିକୁ ଦେଖିଲେ କେନ୍ଦ୍ରୀୟ ବିଜେପି ମେଂଟ ଚାହୁଁଥିବା ବେଳେ ରାଜ୍ୟ ବିଜେପି ଏହା ସପକ୍ଷରେ ନାହିଁ ।

ମାର୍ଚ୍ଚ ୬ ତାରିଖ ଦିଲ୍ଲୀରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କେନ୍ଦ୍ରୀୟ ନେତାଙ୍କ ମଧ୍ୟରେ ବୈଠକ ପରେ ବିଜେପି ସାଂସଦ ଜୁଏଲ ଓରାମ କହିଥିଲେ ମେଂଟ ନେଇ ଆଲୋଚନା ହୋଇଛି । କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତି ନେବେ ତାହା ହେବ । ଆଉ ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ କହିଛନ୍ତି, ମେଂଟ ଉପରେ କୌଣସି ଆଲୋଚନା ହୋଇନି । ବିଜେପି ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାକୀ ଲଢିବ ଏବଂ ନିର୍ବାଚନ ଜିତିବ । ତେବେ କଥା ଉଠୁଛି କିଏ ସତ କହୁଛି । ଜୁଏଲ କହିଲେ ମେଂଟ ଉପରେ ଆଲୋଚନା ହୋଇଛି ଏବଂ ମନମୋହନ କହୁଛନ୍ତି ମେଂଟ ଉପରେ ଆଲୋଚନା ହୋଇନି । ଫଳରେ ରାଜ୍ୟରେ ମେଂଟ ନେଇ ସସପେନ୍ସ ଲାଗି ରହିଛି । କାରଣ ବିଜେଡି ଏ ପର୍ଯ୍ୟନ୍ତ ମେଂଟକୁ ନେଇ ମୁହଁ ଖୋଲି ନାହିଁ । କିନ୍ତୁ ଏହା ସ୍ପଷ୍ଟ ରାଜ୍ୟ ବିଜେପି ମେଂଟ ଚାହୁଁ ନ ଥିଲେ ବି କେନ୍ଦ୍ରୀୟ ନେତା ନବୀନଙ୍କ ସହ ମେଂଟ ଚାହୁଁଛନ୍ତି । କହିବାକୁ ଗଲେ କେନ୍ଦ୍ରୀୟ ବିଜେପି ନେତା ଓଡିଶା ଉପରେ ମେଂଟ ଲଦି ଦେଉଛନ୍ତି ।

ସେପଟେ କିନ୍ତୁ ସିଟ୍ ଭାଗବଂଟା ନେଇ ଅଙ୍କ କଷା ଚାଲିଛି । କିଏ କେତେ ଆସନରେ ଲଢିବେ ସହମତି ପ୍ରକାଶ ପାଇ ପାରିନି । ଗତକାଲି ବିଜେପି ନେତାଙ୍କ ସହ ଆଲୋଚନା କରି ଦିଲ୍ଲୀରୁ ପାଣ୍ଡିଆନ ଓ ବବି ଫେରିଛନ୍ତି । ଏହା ପରେ ବିଜେଡି ଶିବିରରେ ଦିନ ତମାମ କସରତ ଦେଖିବାକୁ ମିଳିଛି । ମେଂଟ ହେଲେ ଆସନ ଭାଗବଂଟାର ସୂତ୍ର କଣ ହୋଇପାରେ ? ଗତ ଦୁଇ ଦିନ ଧରି ଏଭଳି ପ୍ରଶ୍ନକୁ ନେଇ ରାଜନୀତି ଉଠୁଛି ପଡୁଛି । ବିଜେଡିର ଛାମୁଆ ନେତାମାନେ ମେଂଟ ସଂକ୍ରାନ୍ତ ନିଷ୍ପତି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ଛାଡିଥିବା ବେଳେ କେନ୍ଦ୍ରୀୟ ବିଜେପି ଅନୁରୂପ ଏହି ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପରେ ଛାଡିଛନ୍ତି । ବିଜେପିର ଏହି ନେତାମାନେ ନବୀନଙ୍କ ସହ ଆଲୋଚନା କରି ମେଂଟ ଉପରେ ଚୂଡାନ୍ତ ନିଷ୍ପତି ନେବେ । ହେଲେ ଆସନ ଭାଗବଂଟା ଉପରେ ଆପାତତଃ ସହମତି ହୋଇ ପାରୁନି । ତେଣୁ ମେଂଟ ଘୋଷଣା ବିଳମ୍ବ ହେବାରେ ଲାଗିଛି ।

ଆସନ ଭାଗବଂଟାର ଆଲୋଚନା ପାଇଁ ବିଜେଡିର ଦୁଇ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ନୂଆଦିଲ୍ଲୀ ଯାଇଥିଲେ । ନୂଆଦିଲ୍ଲିରେ ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ଭୋର ୫ଟା ଯାଏ ଆଲୋଚନା ଚାଲିଥିଲା । ବିଜେପି ନେତା ତୁହାକୁ ତୁହା ବୈଠକ କରିଥିଲେ । ରାଜ୍ୟ ବିଜେପି ୫୦ ବିଧାନସଭା ଆସନ ଜିଦରେ ଅଟଳ ରହିଥିବା କୁହାଯାଉଛି । କେବଳ ଏତିକି ନୁହେଁ ଯେଉଁ ଲୋକସଭା ଓ ବିଧାନସଭା ଆସନରେ ଦଳ ବିଜୟୀ ହୋଇଛି ସେହି ସବୁ ଆସନ ବିଜେପି ହାତରେ ରହେ ସେ ନେଇ ରାଜ୍ୟ ନେତା ଦାବି କରିଥିବା ସୁନୀଲ ବଂଶଲ ମୋଦୀ, ଶାହ ଓ ନଡ୍ଡାଙ୍କୁ ଜଣାଇ ଦେଇଛନ୍ତି । ଏପରିକି ମେଂଟ ଚର୍ଚ୍ଚା ପରଠୁ ରାଜ୍ୟ ବିଜେପି ନେତା ଓ କର୍ମୀ ଭୀଷଣ ଅସନ୍ତୁଷ୍ଟ ଥିବା ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଜଣାଇ ଦିଆଯାଇଛି ।

ଅନ୍ୟପଟେ ଗୁରୁବାର ବିଳମ୍ବିତ ରାତିରେ ବିଜେଡିର ଦୁଇ ନେତା ପାଣ୍ଡିଆନ ଓ ବବି ଗୃହମନ୍ତ୍ରୀ ଅମିତ୍ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିରେ କଣ କଣ ଆଲୋଚନା ହୋଇଛି କିଛି ଟେର ମିଳୁନି । କିନ୍ତୁ ବିଜେଡି କେଉଁ କେଉଁ ଲୋକସଭା ଓ ବିଧାନସଭା ଆସନରେ ଲଢିବ ତାର ରିପୋର୍ଟ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଦିଆଯାଇଛି । ମୋଟାମୋଟି କହିବାକୁ ଗଲେ ରାଜ୍ୟ ବିଜେପି ମେଂଟ ଚାହୁଁ ନ ଥିବା ବେଳେ ବିଜେଡି ଓ କେନ୍ଦ୍ରୀୟ ବିଜେପି ନେତା ମେଂଟ ସପକ୍ଷରେ ରହିଛନ୍ତି । ତେବେ ଶନିବାର ଓ ରବିବାର ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ ।