ଭୁୁବନେଶ୍ୱର: ସଂପ୍ରତି ଘଟଣାବଳୀ ଦେଖିଲେ ଓଡିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ମେଂଟ ଚାହୁଁଛି । ଦଳର ମୁଖିଆ ନବୀନ ପଟ୍ଟନାୟକ ଏକ ପ୍ରକାର ବଦ୍ଧପରିକର ଯେ, ସେ ବିଜେପି ସହ ମେଂଟ କରି କି ହିଁ ରହିବେ । ଦଳ ମୁଖିଆଙ୍କ ଏମିତି ଆଭିମୁଖ୍ୟର ପ୍ରଭାବ ଦଳୀୟ ନେତା ଓ ମନ୍ତ୍ରୀଙ୍କ ଆଚରଣ ଏବଂ ଉଚ୍ଚାରଣରେ ମଧ୍ୟ ଦେଖିବାକୁ ମିଳୁଛି । ସେ ଦେବୀ ମିଶ୍ର ହୁଅନ୍ତୁ କି ଅରୁଣ ସାହୁ ,ଏହି ନେତାମାନେ ଗଣମାଧ୍ୟମକୁ ଦେଇଥିବା ବୟାନରେ ବିଜେଡି ମେଂଟ ଚାହୁଁଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଏହି କ୍ରମରେ ଦଳର ଆଉ ଜଣେ ବରିଷ୍ଠ ନେତା ନୃସିଂହ ଚରଣ ସାହୁ ଶନିବାର ସ୍ପଷ୍ଟ ଭାବେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିଜେଡି ମେଂଟ ଚାହୁଁଥିବା କହିଛନ୍ତି ।
ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି, ମେଂଟ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହ ସ୍ଥିର କରିବେ ସମସ୍ତ ଦଳୀୟ ନେତା ତାକୁ ମାନିବେ । ବିଜେପି ସହ ମେଂଟ କଲେ ଦଳରେ ବିଦ୍ରୋହୀ ବାହାରିବେ ନାହିଁ ତ ପ୍ରଶ୍ନର ଉତରରେ କହିଛନ୍ତି, ସେମିତି କେହି ବିଦ୍ରୋହୀ ହେବେନି । ମେଂଟ ହେଲେ ବିଜେଡିର କଣ ଲାଭ ହେବ ? ଉତରରେ ନୃସିଂହ କହିଛନ୍ତି ଲାଭ ହେବ ବୋଲି ତ ବିଜେପି ସହ ମେଂଟ କରାଯାଉଛି । ଓଡିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ମେଂଟ ପାଇଁ ଆଗ୍ରହୀ ଅଛି ଏବଂ ରାଜି ଅଛି । କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ବନ୍ଧ ରହିଲେ ସଭିଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି । ଯେଉଁମାନେ ବିଜେଡି ଦଳ ପ୍ରତି ବିଶ୍ୱସ୍ତ ସେମାନେ ଦଳ ସହିତ ରହିବେ । ମେଂଟ ହେଲେ ବିଜେଡି କେତେ ସିଟ୍ ଚାହୁଁଛି ପ୍ରଶ୍ନର ଉତରରେ ସେ କହିଛନ୍ତି, ଏହା ଉପରେ ମୋ ପାଖରେ କିଛି ତଥ୍ୟ ନାହିଁ । ରାଜ୍ୟ ବିଜେପି କାହିଁକି ମେଂଟ ପାଇଁ ପଛଘୁଂଚା ଦେଉଛି ମୁଁ ଜାଣିିନି । ତେବେ ମେଂଟ ହେଉ କି ନ ହେଉ ବିଜେଡି ବିଧାନସଭାରେ ୧୧୦ରୁ ଉର୍ଦ୍ଧ୍ୱ ସିଟରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କିନ୍ତୁ ସାଂପ୍ରତିକ ରାଜନୀତିକୁ ଦେଖିଲେ ବିଜେଡି ତଥା ଦଳର ମୁଖିଆ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ଓ ବିଜେପି ଶରଣରେ ପଶି ଯାଇଛନ୍ତି । ମେଂଟ ନେଇ ନବୀନ ପଟ୍ଟନାୟକ ଯେମିତି ଆଗଭର ଏବଂ ଆତୁର ହୋଇଛନ୍ତି, ତାକୁ ମୋଦୀ, ଶାହ ମଧ୍ୟ କାଟି ପାରୁ ନାହାନ୍ତି । ମୋଦୀ-ନବୀନଙ୍କ କେମେଷ୍ଟ୍ରି ରାଜ୍ୟ ବିଜେପି ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି । କାରଣ ମେଂଟ ଚର୍ଚ୍ଚା ପରଠୁ ବିଜେଡି ଅପେକ୍ଷା ବିଜେପି ଶିବିରରେ ନିରାଶ ଛାଇ ଯାଇଛି । ନେତାଙ୍କଠୁ ନେଇ କର୍ମୀ ସଭିଏ ହତାଶ ହୋଇ ରହିଛନ୍ତି । ଜିଲ୍ଲା କାର୍ଯ୍ୟାଳୟଠୁ ନେଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସବୁଠି ନିରବତା ଛାଇ ଯାଇଛି । ସେପଟେ ଜାତୀୟ ଗଣମାଧ୍ୟମ ଶନିବାର ମେଂଟର ସ୍ୱରୂପ ନିର୍ଣ୍ଣୟ ହେବ ଓ ରବିବାର ସୁଦ୍ଧା ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ।