ଭୁୁବନେଶ୍ୱର: ମେଂଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ଆସିଛି । ଏହା ମଧ୍ୟ ସମସ୍ତେ ଜାଣି ଗଲେଣି ଯେ, ରାଜ୍ୟ ବିଜେପି ମେଂଟ ସପକ୍ଷରେ ନାହିଁ । କେବଳ ବିଜେଡି ଓ କେନ୍ଦ୍ରୀୟ ନେତା ମୋଦୀ-ଶାହ ମେଂଟ ଚାହୁଁଛନ୍ତି । ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଆଜି କହିଛନ୍ତି ରାଜ୍ୟରେ ବିଜେପି ଏକା ଲଢିବାକୁ ପ୍ରସ୍ତୁତି କରୁଛି। ଏସବୁ ଚିତ୍ର ସାମ୍ନାକୁ ଆସିବା ପରେ ବିଜେଡିକୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦମ ଅଛି ତ କୁହ ମେଂଟ ହେବନି ବୋଲି ସେ ବିଜେଡିକୁ ଟାର୍ଗେଟ୍ କରି କହିଛନ୍ତି ।
ଶନିବାର ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଦମ ଅଛି ତ ଏକା ଲଢିବ ବୋଲି କୁହ । ଯାଜପୁରରେ ମୋଦୀଙ୍କ ସଭାରେ ସୁନାମୀ ଦେଖି ବିଜେଡି ଛାନିଆ ହୋଇ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚଳିତ ଓ ଅସ୍ଥିର ହୋଇ ପଡିଛନ୍ତି । ମେଂଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହି ସାରିଛନ୍ତି । ୧୧୨ ସିଟ୍ ଜିତିଥିବା ବିଜେଡି ସିଧା ମେଂଟ ହେବନି ବୋଲି କାହିଁକି କହୁନି । ମେଂଟ ହେଲେ ପ୍ରଦୀପକୁ ଟିକେଟ ଦେବନି ବୋଲି ସର୍ତ ଥିବା ଚର୍ଚ୍ଚା ହେଉଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ପ୍ରଦୀପ ପାଣିଗ୍ରାହୀ ବିଜେଡି ଓ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ସାରିଛନ୍ତି । ବିଜେପିରେ ମିଶିବା ଦିନ ସେ କହିଥଲେ ମିଶନ ହିଞ୍ଜିଳିରୁ ଆରମ୍ଭ ହେବ ଏବଂ ଭୁୁବନେଶ୍ୱରରେ ସରିବ । ଏ ବିଜେଡି ସରକାରକୁ ହଟାଇବାର ସମୟ ଆସି ଯାଇଛି । ଓଡିଶା ଫାଷ୍ଟ ରାଜନୀତି ହେବା ଉଚିତ୍ । ଅଣ ଓଡିଆ ଅଫିସରଙ୍କୁ ରାଜ୍ୟରୁ ବିଦା କରିବାର ସମୟ ଆସି ଯାଇଛି ବୋଲି ସେ କହିଥିଲେ । ତେବେ ମେଂଟ ଚର୍ଚ୍ଚା ପରଠୁ ପ୍ରଦୀପ କିଛି ଦିନ ହେବ ଶାନ୍ତ ରହିଥିଲେ । ହେଲେ ରାଜ୍ୟ ବିଜେପି ମେଂଟ ଚାହୁଁ ନ ଥିବା ରାଜ୍ୟ ସଭାପତି ସ୍ପଷ୍ଟ କରିବା ପରେ ଏବେ ସେ ବିଜେଡି ପ୍ରତି ଆକ୍ରମଣାତ୍ମକ ହୋଇ ଉଠିଛନ୍ତି ।