ଭୁୁବନେଶ୍ୱର: ସିଟ୍ ଭାଗବଂଟା ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଘୋଷଣା ବିଳମ୍ବ ହେବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ ମାରାଥନ ବୈଠକ ହୋଇଥିବା ବେଳେ ଓଡିଶା କିନ୍ତୁ ବିଜେଡି ଶିବିରରେ ନିରବତା ରହିଛି । ତେବେ ଚର୍ଚ୍ଚା ହେଉଛି ଯେ, ଲୋକସଭା ଅଙ୍କ ଛିଣ୍ଡି ସାରିଥିବା ବେଳେ ବିଧାନସଭାରେ ଅଙ୍କ ଅଟକିଛି । ଦୁଇଟି ଫର୍ମୁଲାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ହେଉଛି ବିଜେପି ବିଧାନସଭାରେ ୪୯ଟି ଆସନରେ ଲଢିବ ଏବଂ ବିଜେଡି ୯୮ଟି ଆସନରେ ଲଢିବ । ଦ୍ୱିତୀୟ ଫର୍ମୁଲା ହେଉଛି ବିଜେପି ୫୬ଟି ଏବଂ ବିଜେଡି ୯୧ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ । ତେବେ ୧୦୦ରୁ କମ ଆସନରେ ବିଜେଡି ଲଢିବାକୁ ଚାହୁଁନଥିବା କୁହାଯାଉଛି । ବିଧାନସଭା ସିଟରେ କିଛିଟା ପେଂଚ ରହୁଥିବାରୁ ମେଂଟ ଘୋଷଣା ହୋଇ ପାରୁନି । କିନ୍ତୁ ଧିରେ ଧିରେ ଏହାର ସମାଧାନର ରାସ୍ତା ବାହାରୁ ଥିବା କୁହାଯାଉଛି । ମେଂଟ ହେଲେ ଯେମିତି ନିଜ ଦଳର କ୍ଷତି ନ ଘଟେ ଏଥିପ୍ରତି ଦୁଇ ଦଳର ଶୀର୍ଷ ନେତୃତ୍ୱ ଧ୍ୟାନ ଦେଉଛନ୍ତି ।
ଫର୍ମୁଲା ଅନୁଯାୟୀ, ବିଜେପି ୧୪ଟି ଏବଂ ବିଜେଡି ୭ଟି ଲୋକସଭା ଆସନରେ ନିର୍ବାଚନ ଲଢିବ । ଲୋକସଭାକୁ ନେଇ ଏହି ଫର୍ମୁଲାକୁ ଦୁଇ ଦଳ ଗ୍ରହଣ କରିଥିବା ବେଳେ ବିଧାସନଭା ସିଟକୁ ନେଇ ଅଙ୍କ ଛିଣ୍ଡି ପାରୁନି । ବିଜେପି ଲଢିବାକୁ ଥିବା ୧୪ଟି ଲୋକସଭା ଆସନରେ ଆସୁଥିବା ବିଧାନସଭା ମଣ୍ଡଳୀରୁ ୩ଟିରେ ଦଳ ଲଢିବ । ଆଉ ୪ଟିରେ ବିଜେଡି ଲଢିବ । ସେହିପରି ବିଜେଡି ପାଉଥିବା ୭ଟି ଆସନ ଅଧିନରେ ଥିବା ବିଧାନସଭା ମଣ୍ଡଳୀରୁ ବିଜେପି ୨ ଏବଂ ବିଜେଡି ୫ଟି ଆସନରେ ନିର୍ବାଚନ ଲଢିବ ବୋଲି କୁହାଯାଉଛି । ଏମିତି ହେଲେ ବିଜେପି ୫୬ଟି ଆସନ ଏବଂ ବିଜେଡି ୯୧ଟି ଆସନରେ ନିର୍ବାଚନ ଲଢିବ ବୋଲି କୁହାଯାଉଛି ।
ଅନ୍ୟ ଫର୍ମୁଲା ଆପଣେଇଲେ ବିଜେପି ଲଢୁଥିବା ୧୪ଟି ଲୋକସଭା ଆସନରେ ଆସୁଥିବା ବିଧାନସଭା କ୍ଷେତ୍ରରୁ ଦଳ ୩ଟି ବିଧାନସଭା ଲଢିବ ଏବଂ ୪ଟି ବିଜେଡିକୁ ଛାଡିବ । ସେହିପରି ବିଜେଡି ଭାଗରେ ପଡୁଥିବା ୭ଟି ଆସନରେ ବିଜେପି ଗୋଟିଏ ଆସନରେ ଏବଂ ବିଜେଡି ୬ଟି ଆସନରେ ଲଢିବ । ଏମିତି ହେଲେ ବିଧାନସଭାରେ ବିଜେପି ୪୯ ଏବଂ ବିଜେଡି ୯୮ଟି ଆସନରେ ନିର୍ବାଚନ ଲଢିବ । ତେବେ ୨୦୧୯ ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ନିର୍ବାଚନ ଜିତିଥିବାରୁ ଦଳ ଏଥର ୧୦୦ରୁ କମ ଆସନରେ ନିର୍ବାଚନ ଲଢିବ କି ନାହିଁ ତାହା ଜଣା ପଡିନି । ଦଳ କିନ୍ତୁ ୧୦୦ରୁ କମ ଆସନରେ ଲଢିବାକୁ ଚାହୁଁ ନ ଥିବା ଜଣା ପଡିଛି ।
ଦିଲ୍ଲୀରୁ ଡକରା ପରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଓ ସଂଗଠନ ସଂପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି । ଗତକାଲି ବିଜେପିର ସିଇସି ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ମେଂଟ ଉପରେ ଆଲୋଚନା ହୋଇଥିବା କୁହାଯାଉଛି । ଏଥିରେ କିନ୍ତୁ ରାଜ୍ୟ ବିଜେପି ସବୁ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ଦାବି କରିଛି । ଏକାକୀ ନିର୍ବାଚନ ଲଢିଲେ ଦଳ ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ସିଟ୍ ଜିତିବ ବୋଲି ରାଜ୍ୟ ବିଜେପି ନେତୃବୃନ୍ଦ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିବାକୁ ଗଲେ ରାଜ୍ୟ ବିଜେପି ମେଂଟ ସପକ୍ଷରେ ନ ଥିବା ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ମୁହଁ ଖୋଲିବାକୁ ପ୍ରସ୍ତୁତ ନାହିଁ । ମନମୋହନ ସାମଲ ଓ ବିଜୟପାଲ ସିଂ ତୋମାର ମେଂଟ ନୁହେଁ ଏକାକୀ ଲଢିବା ଉପରେ ଜୋର ଦେଉଥିବା ଏବଂ ଦିଲ୍ଲୀରେ ବିଜେପି ବୈଠକରେ ରାଜ୍ୟରେ କିଏ ଆସନରୁ ଲଢିବ ତାର ତାଲିକା ଦେଇଥିବା କୁହାଯାଉଛି । ତେବେ ମେଂଟ ହେବ କି ନାହିଁ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ ।