ଭୁୁବନେଶ୍ୱର: ସିଟ୍ ଭାଗବଂଟା ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଘୋଷଣା ବିଳମ୍ବ ହେବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ ମାରାଥନ ବୈଠକ ହୋଇଥିବା ବେଳେ ଓଡିଶାରେ ବିଜେଡି ଶିବିରରେ ନିରବତା ରହିଛି । ଲୋକସଭା ସିଟ୍ ନେଇ ଅଙ୍କ ଛିଣ୍ଡି ସାରିଥିବା ବେଳେ ବିଧାନସଭାରେ କିଛିଟା ପେଂଚ ରହିଛି, ଯାହା ଆଉ କିଛି ସମୟରେ ସବୁ ଦ୍ୱନ୍ଦ୍ୱ ଦୂର ହୋଇଯିବ ବୋଲି କୁହାଯାଉଛି । ଏହା ଭିତରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ପୋଷ୍ଟ ମେଂଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କେଉଁ ଫର୍ମୁଲାରେ ମେଂଟ ହେବାକୁ ଯାଉଛି ତାର ଚିତ୍ର ମଧ୍ୟ ପ୍ରଦାନ କରିଛନ୍ତି ରାଜଦୀପ ।
ଏକ୍ସରେ ରାଜଦୀପ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ପ୍ରସଙ୍ଗ ଉଠାଇ କହିଛନ୍ତି, ଆଗାମୀ ଦିନେ କି ଦୁଇ ଦିନ ଭିତରେ ମେଂଟ ନେଇ ଘୋଷଣା ହୋଇପାରେ । ସିଟ୍ ଫର୍ମୁଲାର ଅଙ୍କ ଉଲ୍ଲେଖ କରି ରାଜଦୀପ କହିଛନ୍ତି, ମେଂଟ ହେଲେ ବିଜେପି ୧୩ ଓ ବିଜେଡି ୮ ଲୋକସଭା ଆସନରେ ନିର୍ବାଚନ ଲଢିବ । ସେହିପରି ବିଧାନସଭାରେ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ନିର୍ବାଚନ ଲଢିବ । ନିର୍ବାଚନ ପୂର୍ବରୁ ବିଜେପି ଏନଡିଏକୁ ମଜବୁତ କରୁଥିବା ରାଜଦୀପ କହିଛନ୍ତି ।
Late late night buzz. BJD- BJP tie up in Odisha likely to be announced in a day or two: 13-8 for Lok Sabha in BJP favour & 49-98 for Assembly in BJD favour. NDA widening its ranks as opposition India alliance shrinks. #BattleFor2024
— Rajdeep Sardesai (@sardesairajdeep) March 11, 2024
ରାଜନୈତିକ କରିଡରରୁ ଏହାର ସଙ୍କେତ ମଧ୍ୟ ମିଳି ସାରିଛି ଯେ, ବିଧାନସଭା ସିଟ୍ ସେୟାରିଂକୁ ନେଇ ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ମେଂଟ ଘୋଷଣା ବିଳମ୍ବ ହେବାରେ ଲାଗିଛି । ଦିଲ୍ଲୀରୁ ଡକରା ପରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଓ ସଂଗଠନ ସଂପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି । ଗତକାଲି ବିଜେପିର ସିଇସି ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ମେଂଟ ଉପରେ ଆଲୋଚନା ହୋଇଥିବା କୁହାଯାଉଛି । ଏଥିରେ କିନ୍ତୁ ରାଜ୍ୟ ବିଜେପି ସବୁ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ଦାବି କରିଛି । ଏକାକୀ ନିର୍ବାଚନ ଲଢିଲେ ଦଳ ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ସିଟ୍ ଜିତିବ ବୋଲି ରାଜ୍ୟ ବିଜେପି ନେତୃବୃନ୍ଦ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିବାକୁ ଗଲେ ରାଜ୍ୟ ବିଜେପି ମେଂଟ ସପକ୍ଷରେ ନ ଥିବା ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ମୁହଁ ଖୋଲିବାକୁ ପ୍ରସ୍ତୁତ ନାହିଁ ।
ମନମୋହନ ସାମଲ ଓ ବିଜୟପାଲ ସିଂ ତୋମାର ମେଂଟ ନୁହେଁ ଏକାକୀ ଲଢିବା ଉପରେ ଜୋର ଦେଉଥିବା ଏବଂ ଦିଲ୍ଲୀରେ ବିଜେପି ବୈଠକରେ ରାଜ୍ୟରେ କିଏ ଆସନରୁ ଲଢିବ ତାର ତାଲିକା ଦେଇଥିବା କୁହାଯାଉଛି । କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ ବିଜେଡିକୁ ଏନଡିଏରେ ସାମିଲ୍ କରିବାକୁ ଆଗଭର ଅଛନ୍ତି । ଓଡିଶା ବିଜେପି ଚାହୁଁକି ନ ଚାହୁଁ ଯେଣତେଣ ପ୍ରକାରେ ବିଜେଡି ସହ ମେଂଟ କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହ । ତେବେ ମେଂଟ ହେବ କି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତି ନେବେ ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ବିଜେପି ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ଏଥିରେ ଓଡିଶା ସାମିଲ ନ ଥିଲା । କିନ୍ତୁ ଗତକାଲି ସିଇସି ବୈଠକରେ ୮ଟି ରାଜ୍ୟର ୯୯ଟି ଆସନ ଉପରେ ଆଲୋଚନା ହୋଇଛି । ଏଥିରେ ଓଡିଶା ସାମିଲ୍ ଥିବା କୁହାଯାଉଛି । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ତାଙ୍କ ଦଳ ଯୋଗ ଦେଇଥିବା କୁହାଯାଉଛି ।