ଭୁବନେଶ୍ୱର: ମେଂଟ, ମେଂଟ, ମେଂଟ । ଦିଲ୍ଲୀରେ ଚାଲିଲା ମାରାଥନ ବୈଠକ । ତଥାପି ଚିତ୍ର ଅସ୍ପଷ୍ଟ । ଦିଲ୍ଲୀରେ ଡେରା ପକାଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ସରିବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିନ୍ତୁ ତାଙ୍କ ମିଜାଜରେ ପରିବର୍ତନ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ମେଂଟ ଆଲୋଚନା ହୋଇ ନ ଥିବା ଏବଂ ରାଜ୍ୟରେ ବିଜେପି ଏକା ଲଢିବ ବୋଲି ଯେଉଁ ଦମ୍ଭୋକ୍ତି ଦେଖାଉଥିଲେ ସେଥିରେ ନରମ ପଡିଛନ୍ତି ମନମୋହନ । ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି । ସେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ସ୍ପଷ୍ଟ କିଛି କହି ନ ଥିବା ବେଳେ ମେଂଟ ପ୍ରକ୍ରିୟା ଆଗକୁ ବଢିଥିବା ସଙ୍କେତ ମିଳିଛି ।
୪ ଦିନ ଧରି ଦିଲ୍ଲୀରେ ଡେରା ପକାଇ ଶୀର୍ଷ ନେତୃତ୍ୱଙ୍କ ସହ ଘନ ଘନ ବୈଠକ କରି ଆଜି ଭୁବନେଶ୍ୱର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ମେଂଟକୁ ଅସ୍ୱୀକାର କରି ନ ଥିଲେ ବି ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି ବୋଲି କହିଛନ୍ତି । ସବୁ ଠିକ୍ ଚାଲିଛି, ସବୁ ବିଷୟରେ ବିଚାର ଆଲୋଚନା କରୁଛୁ । ଯାହା ପ୍ରକ୍ରିୟା ହେବା କଥା ସେହି ଅନୁସାରେ ଚାଲିଛି । ସବୁ ସିଟ୍ ବିଷୟରେ ଦଳର ବରିଷ୍ଠ ନେତାଙ୍କ ସହ ବିଚାର କରୁଛୁ ବୋଲି ମନମୋହନ କହିଛନ୍ତି । ମେଂଟକୁ ନେଇ ଏହିପରି ମାପିଚୁପି ମତ ଦେଉଛନ୍ତି ନେତାଏ ।
ମନମୋହନଙ୍କ ଏମିତି ମିଜାଜ ଦେଖି ଲାଗୁଛି ମେଂଟ ନେଇ ସିଟ୍ ସେୟାରିଂ ଫର୍ମୁଲା ଚୂଡାନ୍ତ ହୋଇ ସାରିଛି । ଖାଲି ଆନୁଷ୍ଠାନିକ ଘୋଷଣାକୁ ବାକି ରହିଛି । ଯାହା ଆଗାମୀ ଦିନେ କି ଦୁଇ ଦିନ ଭିତରେ ଘୋଷଣା ହୋଇପାରେ । ଗତକାଲି ଅମିତ୍ ଶାହଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ବୈଠକ ଚାଲିଥିଲା । ମେଂଟ ନେଇ ପୁଙ୍ଖାନୁପୁଙ୍ଖନ ଆଲୋଚନା ହୋଇଥିଲା । ସିଟ୍ ସେୟାରିଂକୁ ନେଇ ଅଙ୍କ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ ଶାହ । ବୈଠକରେ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଓ ସଂଗଠନ ସଂପାଦକ ମାନଓ ମହାନ୍ତି ଉପସ୍ଥିତ ଥିଲେ । କିନ୍ତୁ ବୈଠକରୁ କଣ ନିଷ୍କର୍ସ ବାହାରିଛି ତାହା ଏ ଯାଏ ସ୍ପଷ୍ଟ ହୋଇନି ।
ଅନ୍ୟପଟେ କିଛି ଦିନର ନିରବତା ପରେ ଚଳଚଂଚଳ ହୋଇ ଉଠିଛି ବିଜେଡି ଶିବିର । ଆଜି ନବୀନ ନିବାସରେ ବିଜେଡିରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଡକରା ହୋଇଛି । ବୈଠକରେ ଜିଲ୍ଲା ବିଜେଡି ପର୍ଯ୍ୟବୈକ୍ଷକଙ୍କୁ ମଧ୍ୟ ଡକାଯାଇଛି । ମେଂଟ ନେଇ ବୈଠକରେ ଚୂଡାନ୍ତ ନିଷ୍ପତି ହୋଇପାରେ । ଏହା ପରେ ଆଗାମୀ ଦୁଇ ଦିନ ଭିତରେ ବିଜେପି ସହ ମିଶି ଆନୁଷ୍ଠାନିକ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ତେଣୁ ଏବେ ସଭିଙ୍କ ନଜର ନବୀନ ନିବାସ ଉପରେ ରହିଛି ।