ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି ବିଜେପି । ୨୬ଟି ରାଜ୍ୟରୁ ୨୬୭ ଆସନରେ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଓଡିଶାର ନାଁ ନାହିଁ । ଏଥିରୁ ଏହା ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଓଡିଶାରେ ବିଜେଡି ସହ ବିଜେପିର ମେଂଟ ଫାଇନାଲ୍ ହୋଇ ସାରିଛି । ବାସ୍ କେବଳ ଔପଚାରିକ ଘୋଷଣାକୁ ବାକି ରହିଛି । ଯାହା ଆଗାମୀ ଦିନେ କି ଦୁଇ ଦିନ ଭିତରେ ଘୋଷଣା ହୋଇପାରେ । ଗତକାଲି ମେଂଟ ଉପରେ ଆଲୋଚନା ପାଇଁ ଫାଇନାଲ୍ ବୈଠକ ଡକାଇଥିଲେ ଗୃହ ମନ୍ତ୍ରୀ ଅମିତ୍ ଶାହ । ଏଥିରେ ସେ ବିଜେପି ନେତୃବୃନ୍ଦଙ୍କ ସହ ମେଂଟ ଉପରେ ପୁଙ୍ଖାନୁପୁଙ୍ଖନ ଆଲୋଚନା କରିଛନ୍ତି । ସେପଟେ ଆଜି ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି ।
ଗତ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଗତକାଲି ଫାଇନାଲ୍ ବୈଠକ ଡାକିଥିଲେ ଗୃହ ମନ୍ତ୍ରୀ ଅମିତ୍ ଶାହ । ତାଙ୍କ ସରକାରୀ ବାସଭବନରେ ବସିଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଓ ସଂଗଠନ ସଂପାଦକ ମାନଓ ମହାନ୍ତି ଉପସ୍ଥିତ ଥିଲେ । ବୈଠକରେ ଶାହ ବିଜେପି ନେତୃବୃନ୍ଦଙ୍କୁ ମନାଇବା ସହ ସିଟ୍ ସେୟାରିଂ ଉପରେ ଅଙ୍କ ଛିଣ୍ଡାଇବାକୁ ଚେଷ୍ଟା କରିଥିଲେ । ଏପରିକି ଏନଡିଏ ପାଇଁ ମେଂଟ କେତେ ଜରୁରୀ ବୋଧହୁଏ ତାହା ବୁଝାଇଛନ୍ତି ଶାହ । ବୈଠକ ସରିବା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ସଭାପତି ମନମୋହନ ସାମଲ । ଆଉ ତାଙ୍କ ମିଜାଜରେ ପରିବର୍ତନ ଦେଖିବାକୁ ମିଳିଛି । ଆଉ ମନମୋହନଙ୍କ ମାପିଚୁପି ବୟାନ ମେଂଟ ହେଉଥିବା ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି ।
ଅନ୍ୟପଟେ ଆଜି ଅପରାହ୍ଣରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଡକରା ଯାଇଛି । ଏପରିକି ଜିଲ୍ଲା ପର୍ଯବେକ୍ଷକଙ୍କୁ ମଧ୍ୟ ବୈଠକରେ ଯୋଗ ଦେବାକୁ କୁହାଯାଇଛି । ମେଂଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତି ନେଇ ପାରନ୍ତି ବୋଲି କୁହାଯାଉଛି । ବିଜେଡି ଏହି ବୈଠକ ସେହି ସମୟରେ ଡକାଇଛି ଯେତେ ବେଳେ ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫାଇନାଲ୍ ବୈଠକ କରି ସାରିଛନ୍ତି । ବିଜେଡି ଶିବିରରୁ କିଛି ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି ।
ଗତ ପ୍ରାୟ ୧୦ ଦିନ ହେବ ମେଂଟ ଚର୍ଚ୍ଚା ପରଠୁ ରାଜ୍ୟରେ ରାଜନୈତିକ ଗତିବିଧି ଏକପ୍ରକାର ଠପ୍ ହୋଇ ପଡିଛି । ବିଜେଡି ଓ ବିଜେପି ଶିବିରରେ ନିରବତା ଛାଇ ରହିଛି । ମେଂଟ ହେବ କି ନାହିଁ ଏ ଯାଏ ଚିତ୍ର ସ୍ପଷ୍ଟ ହୋଇ ପାରୁ ନ ଥିବାରୁ ନେତା ଓ କର୍ମୀ ସମସ୍ତେ ଅନ୍ଧାରରେ ରହିଛନ୍ତି । ନିର୍ବାଚନ ପ୍ରସ୍ତୁତି ପୁରା ଧିମେଇ ଯାଇଛି । କିଏ କେଉଁ ଆସନରୁ ନିର୍ବାଚନ ଲଢିବ କେହି କିଛି ଜାଣି ନାହାନ୍ତି । କିନ୍ତୁ ଆଗାମୀ ଦିନେ କି ଦୁଇ ଦିନ ଭିତରେ ମେଂଟ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଉଛି । କାରଣ ଅମିତ୍ ଶାହ ରାଜ୍ୟ ବିଜେପି ନେତାଙ୍କ ସହ ବୈଠକ କରି ସାରିଛନ୍ତି । ଆଉ ଏହି ବୈଠକରୁ ମେଂଟ ଉପରେ ସକରାତ୍ମକ ଚିତ୍ର ଆସିଛି । ଏବେ ନବୀନ ନିବାସ ଉପରେ ସଭିଙ୍କ ନଜର ରହିଛି । ଆଶା କରାଯାଉଛି ବିଜେଡି ଶିବିରରୁ ମଧ୍ୟ ମେଂଟ ଉପରେ ସକରାତ୍ମକ ସଙ୍କେତ ମିଳିବ ।