ଓଡିଶାରେ ମେଂଟ ହେବନି ! ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବୁ ଏବଂ ଜିତିବୁ: ମନମୋହନ


ଭୁବନେଶ୍ୱର: ମେଂଟ ନେଇ ପୁଣି ଆସିଲା ବଡ ଟୁଇଷ୍ଟ । ବଡ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ପୁଣି ଥରେ ମନମୋହନ ନିଜର ପୁରୁଣା କଥାକୁ ଦୋହରାଇ କହିଛନ୍ତି ଓଡିଶାରେ ବିଜେପି ଏକାକୀ ସରକାର ଗଢିବ । ତାଙ୍କର ଏହି ମନ୍ତବ୍ୟ ପରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ସସପେନ୍ସ ଆହୁରି ବଢି ଯାଇଛି । ଆଜି ସକାଳେ ଦିଲ୍ଲୀରୁ ଫେରିବା ପରେ ମନନୋହନଙ୍କ ଆଭିମୁଖ୍ୟ ନରମ ପଡିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସେ ଦାମ୍ଭିକତାର ସହ ଏକା ନିର୍ବାଚନ ଲଢିବୁ ବୋଲି କହୁଛନ୍ତି ।

ଗୁରୁବାର ମନମୋହନ କହିଛନ୍ତି, ଓଡିଶାରେ ବିଜେପି ସରକାର କରିବ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବୁ । ଲୋକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛାର ସହ ସରକାର କରିବୁ । ମେଂଟ ହେବ କି ନାହିଁ ପ୍ରଶ୍ନର ଉତରରେ ଏହା କହିଛନ୍ତି ମନମୋହନ ସାମଲ । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ବାରମ୍ବାର କହୁଛି ଓଡିଶାରେ ବିଜେପି ସରକାର ଗଢିବ । ନ ହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ରାଜ୍ୟରେ ମେଂଟ ହେବନି । ଓଡିଶାରେ ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ । ବିଜେପି ଏକାକୀ ସରକାର ଗଢିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ମନମୋହନ ।

ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି ବିଜେପି । ୨୬ଟି ରାଜ୍ୟରୁ ୨୬୭ ଆସନରେ ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଓଡିଶାର ନାଁ ନାହିଁ । ଏଥିରୁ ଏହା ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଓଡିଶାରେ ବିଜେଡି ସହ ବିଜେପିର ମେଂଟ ଫାଇନାଲ୍ ହୋଇ ସାରିଛି । ବାସ୍ କେବଳ ଔପଚାରିକ ଘୋଷଣାକୁ ବାକି ରହିଛି । ଯାହା ଆଗାମୀ ଦିନେ କି ଦୁଇ ଦିନ ଭିତରେ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସେପଟେ ବିଜେଡି ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିନି । ଦିଲ୍ଲୀରେ ରାଜ୍ୟ ବିଜେପି ଓ କେନ୍ଦ୍ର ନେତୃବୃନ୍ଦଙ୍କ ଘନ ଘନ ବୈଠକ ଲାଗି ରହିଥିଲା । ତେଣୁ ମେଂଟ ହେଉଥିବା ଚର୍ଚ୍ଚା ଲାଗି ରହିଥିଲା ।

ରାଜ୍ୟ ବିଜେପି ସଭାପତି ଲଗାତାର କହି ଆସୁଥିଲେ ଯେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ଗଢିବ । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଏହି କଥାକୁ ଦୋହରାଇଥିଲେ । ଦିଲ୍ଲୀରୁ ଡକରା ଆସିଲା । ରାଜ୍ୟ ନେତୃବୃନ୍ଦ ଦିଲ୍ଳୀ ଗଲେ । ୪ ଦିନ ଡେରା ପକାଇ ମାରାଥନ ବୈଠକ କଲେ । ଗତକାଲି ଅମିତ୍ ଶାହଙ୍କ ସହ ଫାଇନାଲ୍ ବୈଠକ ପରେ ଆଜି ସକାଳେ ଭୁବନେଶ୍ୱର ପହଂଚିଥିଲେ ମନମୋହନ ସାମଲ । ଆଉ ମାପିଚୁପି ବୟାନ ଦେଇ ଥିଲେ ।

ବିମାନ ବନ୍ଦରରେ ସେ ମେଂଟକୁ ଅସ୍ୱୀକାର କରି ନ ଥିଲେ ବି ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି ବୋଲି କହିଛନ୍ତି । ସବୁ ଠିକ୍ ଚାଲିଛି, ସବୁ ବିଷୟରେ ବିଚାର ଆଲୋଚନା କରୁଛୁ । ଯାହା ପ୍ରକ୍ରିୟା ହେବା କଥା ସେହି ଅନୁସାରେ ଚାଲିଛି । ସବୁ ସିଟ୍ ବିଷୟରେ ଦଳର ବରିଷ୍ଠ ନେତାଙ୍କ ସହ ବିଚାର କରୁଛୁ ବୋଲି ମନମୋହନ କହିଥିଲେ । କିନ୍ତୁ ଆଜି ଅପରାହ୍ଣରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢି ସରକାର ଗଢିବ ବୋଲି ସ୍ପଷ୍ଟ କରିଛନ୍ତି ।

ସେପଟେ ଆଜି ଅପରାହ୍ଣରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଡକରା ଯାଇଛି। ଏପରିକି ଜିଲ୍ଲା ପର୍ଯବେକ୍ଷକଙ୍କୁ ମଧ୍ୟ ବୈଠକରେ ଯୋଗ ଦେବାକୁ କୁହାଯାଇଛି । ମେଂଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତି ନେଇ ପାରନ୍ତି ବୋଲି କୁହାଯାଉଛି । ବିଜେଡି ଏହି ବୈଠକ ସେହି ସମୟରେ ଡକାଇଛି ଯେତେ ବେଳେ ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫାଇନାଲ୍ ବୈଠକ କରି ସାରିଛନ୍ତି । ତେଣୁ ବିଜେଡି ଶିବିର ଉପରେ ସଭିଙ୍କ ନଜର ରହିଛି ।