ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ, ସବୁ ଆସନ ପାଇଁ ହେବ ଆଲୋଚନା


ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ମେଂଟ ଚର୍ଚ୍ଚା ମଧ୍ୟରେ ଆଜି ବଡ ପରିବର୍ତନ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପି ଏକାକୀ ଲଢିବ ଏବଂ ସରକାର କରିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିବା ପରେ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇ ଉଠିଛି । ନେତାଙ୍କଠୁ ନେଇ କର୍ମୀ ସକ୍ରିୟ ହୋଇ ଉଠିଛନ୍ତି । ଏହିକ୍ରମରେ ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଛି । ଏଥିରେ ଦଳ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରିବ । ମିଟିଂର ସବିଶେଷ ରିପୋର୍ଟ ଦଳର ସଂସଦୀୟ କମିଟିକୁ ପଠାଯିବ ।

ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । ଶୁକ୍ରବାର ଅପରାହ୍ଣରେ ବୈଠକ ବସିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ । ମିଟିଂର ସବିଶେଷ ରିପୋର୍ଟ ଦଳର ସଂସଦୀୟ କମିଟିକୁ ପଠାଯିବ । ବିଜେପି ଏକାକୀ ସରକାର କରିବ ବୋଲି ପୁଣି ଦୃଢୋକ୍ତି ପ୍ରକାଶ କଲେ ମନମୋହନ ସାମଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲଢିବ ଏବଂ ସରକାର ଗଢିବ । ଓଡିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଦେଶରେ ତୃତୀୟ ଓ ଓଡିଶାରେ ବିଜେପି ପ୍ରଥମ ଥର ସରକାର ଗଢିବ । ମୋଦୀଙ୍କୁ ଆଧାର କରି ଆମେ ଓଡିଶାରେ ସରକାର କରିବୁ । ମନମୋହନଙ୍କ ଏମିତି ମନ୍ତବ୍ୟ ପରେ ଲାଗୁଛି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେଉ ନାହିଁ ।

ଏହା ପୂର୍ବରୁ ଗୁରୁବାର ମନମୋହନ କହିଛନ୍ତି, ଓଡିଶାରେ ବିଜେପି ସରକାର କରିବ । ଓଡିଶାର ଅସ୍ମିତା ନେଇ ନିର୍ବାଚନ ଲଢିବୁ । ଲୋକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛାର ସହ ସରକାର କରିବୁ । ମେଂଟ ହେବ କି ନାହିଁ ପ୍ରଶ୍ନର ଉତରରେ ଏହା କହିଛନ୍ତି ମନମୋହନ ସାମଲ । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ବାରମ୍ବାର କହୁଛି ଓଡିଶାରେ ବିଜେପି ସରକାର ଗଢିବ । ନ ହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ରାଜ୍ୟରେ ମେଂଟ ହେବନି । ଓଡିଶାରେ ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ । ବିଜେପି ଏକାକୀ ସରକାର ଗଢିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ମନମୋହନ ।

ସେପଟେ ଆଜି ଅପରାହ୍ଣରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଡକରା ଯାଇଛି। ଏପରିକି ଜିଲ୍ଲା ପର୍ଯବେକ୍ଷକଙ୍କୁ ମଧ୍ୟ ବୈଠକରେ ଯୋଗ ଦେବାକୁ କୁହାଯାଇଛି । ମେଂଟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତି ନେଇ ପାରନ୍ତି ବୋଲି କୁହାଯାଉଛି । ତେଣୁ ବିଜେଡି ଶିବିର ଉପରେ ମଧ୍ୟ ସଭିଙ୍କ ନଜର ରହିଛି ।