କଂଗ୍ରେସର ନିର୍ବାଚନୀ ଇସ୍ତାହାର, ୨ ଶହ ୟୁନିଟ୍ ମାଗଣା ବିଜୁଳି ସହ ପୂରଣ ହେବ ୯ ଗ୍ୟାରେଂଟି


ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ । ଲୋକସଭା ସହ ଓଡିଶାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଆଉ ଶନିବାରଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ଏହା ମଧ୍ୟରେ ଶୁକ୍ରବାର ରାଜ୍ୟ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ଦଳ ୯ଟି ଗ୍ୟାରେଂଟି ଦେଇଛି । ଏହାକୁ ଆୟୁଧ କରି ଦଳ ଆଗାମୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଅଂଟା ଭିଡିଛି । ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଦଳ ।

ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢିଲେ କୃଷି ଋଣ ଛାଡ ହେବ । ଧାନ କୁଇଟାଂଲ ୩ ହଜାର ଓ ଚାଷୀଙ୍କୁ ୨ ହଜାର ଟଙ୍କା ଭତା ଦିଆଯିବ । ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ୍ ବିଜୁଳି ଦେୟ ଛାଡ ଘୋଷଣା କରାଯିବ । ଯୁବ ବର୍ଗଙ୍କ ନିଯୁକ୍ତି ଉପରେ ଅଗ୍ରାଧିକାର ଦିଆଯାଇ ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ମାସିକ ବେକାରୀ ଭତା ମାସିକ ୩ ହଜାର ଟଙ୍କା ମିଳିବ । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ କରିବାକୁ ମଧ୍ୟ ଘୋଷଣା କରାଯିବ । ବାର୍ଦ୍ଧକ୍ୟ/ବିଧବା ଭତା ମାସକୁ ୨ ହଜାର ଟଙ୍କା ଦିଆଯିବ । ପ୍ରତି ପରିବାରକୁ ସିଲିଣ୍ଡର ୫୦୦ ଟଙ୍କାରେ ମିଳିବ । ପ୍ରେସମିଟରେ ପିସିସି ପ୍ରଭାରୀ ଡ. ଅଜୟ କୁମାର, ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସେହିପରି ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ମିଳିବ । ରାଜ୍ୟରେ ଜାତିଭିତିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ । ଚିଟଫଣ୍ଡ ଦ୍ୱାରା ପ୍ରଭାବିତ ଜମାକାରୀଙ୍କୁ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ କରାଯିବ ।