ଆସନ୍ତାକାଲି ଓଡିଶା ସମେତ ଏହି ୪ ରାଜ୍ୟର ଘୋଷଣା ହେବ ନିର୍ବାଚନ ତାରିଖ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ । ଏ ନେଇ ଶନିବାର ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି ନିର୍ବାଚନ ଆୟୋଗ । ଏଥିରେ ଲୋକସଭା ନିର୍ବାଚନ ସହ ୪ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ଯିବ । ୪ ରାଜ୍ୟ ହେଉଛନ୍ତି ଓଡିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ । ପୂର୍ବରୁ ମଧ୍ୟ ଏହି ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଲୋକସଭା ସହିତ ହୋଇ ଆସୁଛି ।
ଅରୁଣାଚଳ ପ୍ରଦେଶରେ ବିଜେପି ସମସ୍ତ ସିଟରେ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଅନ୍ୟପଟେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ପ୍ରାର୍ଥୀ ଚୟନ ନେଇ ମାନସ ମନ୍ଥନ ଚାଲିଛି । ବିଶେଷ କରି ଓଡିଶାରେ ଶାସକ ବିଜେଡି ସହ ମେଂଟ ପାଇଁ ରାଜ୍ୟରେ ମହାଡ୍ରାମା ଲାଗି ରହିଛି । ଓଡିଶାରେ ମେଂଟକୁ ନେଇ ସସପେନ୍ସ ହଟୁ ନ ଥିବାରୁ ରାଜ୍ୟରେ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରି ପାରି ନାହାନ୍ତି । ରାଜ୍ୟରେ ଦୀର୍ଘ ୨୪ ବର୍ଷ ଶାସନରେ ରହିଛି ନବୀନ ସରକାର । ଅନ୍ୟପଟେ ଆନ୍ଧ୍ର ପ୍ରଦେଶରେ ୱାଇଏସଆର କଂଗ୍ରେସର ନେତା ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ରାଜ୍ୟ ପୁନର୍ଗଠନ ପଠରୁ ସେ ରାଜ୍ୟର ଶାସନଡୋରି ସମ୍ଭାଳିଛନ୍ତି ।
ଆଜି ଓଡିଶା ବିଜେପି ନିଜର ନିର୍ବାଚନୀ କମିଟି ବୈଠକ ଡକାଇଛି । ଏଥିରେ ଦଳ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ସବୁ ଆସନରେ ପରୀକ୍ଷା ନିରୀକ୍ଷା କରିବ । ତେବେ ମେଂଟ ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇ ପାରୁ ନ ଥିବାରୁ କିଏ କେଉଁ ଆସନରୁ ଲଢିବ କିଛି କହି ହେଉ ନାହିଁ । ତେବେ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବା ପରେ ମେଂଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । କାରଣ ବିଳମ୍ବ ଘଟିଲେ ଉଭୟ ବିଜେପି ଓ ବିଜେଡିକୁ ଘାଟା ହୋଇପାରେ ।