ଆଜିଠୁ ପୁରା ଦେଶରେ ଲାଗୁ ହୋଇଯିବ ନିର୍ବାଚନ ଆଚରଣ ବିଧି, ଲାଗିବ ଅନେକ କଟକଣା; ଜାଣି ନିଅନ୍ତୁ ନିୟମ


ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ୧୮ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଆଜି ଘୋଷଣା କରିବେ । ତାରିଖ ଘୋଷଣା ହେବା ମାତ୍ରେ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ । ନିରପେକ୍ଷ ଓ ପାରଦର୍ଶୀ ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ କିଛି ନିୟମ କରିଛନ୍ତି, ଯାହାକୁ ସମସ୍ତ ରାଜନୈତିକ ଦଳ ପାଳନ କରିବେ । ଏହି ସମୟରେ ଅନେକ କଟକଣା ଲାଗୁ ହେବ, ଯାହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନ ବଡ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି । ଏପରିକି ପ୍ରାର୍ଥୀଙ୍କୁ ଅଯୋଗ୍ୟ ମଧ୍ୟ ଘୋଷିତ କରି ପାରନ୍ତି । କହିବାକୁ ଗଲେ ଆଜିଠୁ ନିର୍ବାଚନ ଆୟୋଗ ଦେଶରେ ସର୍ବଶକ୍ତିମାନ ହେବାକୁ ଯାଉଛନ୍ତି ।

ନିର୍ବାଚନ ଆଚରଣ ଫଳାଫଳ ଘୋଷିତ ହେବା ପର୍ଯ୍ୟନ୍ତ ଲାଗୁ ରହିଥାଏ । ଏହି ସମୟରେ ବହୁତ ଶକ୍ତି ନିର୍ବାଚନ ଆୟୋଗଙ୍କ ହାତକୁ ଚାଲିଯାଏ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଅର୍ଥର ବ୍ୟବହାର କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ଫାଇଦା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ । ଏପରିକି ସରକାରୀ ଘୋଷଣା, ଶିଳାନ୍ୟାସ୍ କିମ୍ବା ଲୋକାର୍ପଣ କରାଯାଇ ପାରିବ ନାହିଁ । କୌଣସି ରାଲି କିମ୍ବା ଜନସଭା ପାଇଁ ପୋଲିସର ଅନୁମତି ନେବା ଜରୁରୀ ହୋଇଥାଏ । ନିର୍ବାଚନ ରାଲିରେ ଅର୍ଥ, ଧର୍ମ, ଜାତି ନାମରେ ଭୋଟ୍ ମାଗିବା ଉପରେ ସଂପୂର୍ଣ୍ଣ କଟକଣା ରହିଛି । ନିର୍ବାଚନରେ କୌଣସି ପ୍ରକାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ରାନ୍ସଫର କରାଯାଇ ପାରିବ ନାହିଁ । ଯଦି ଜରୁରୀ ପଡେ ତେବେ ଏଥିପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡିବ ।

ନିର୍ବାଚନ ଆଚରଣ ବିଧି ସମୟରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ସରକାରୀ ଖର୍ଚ୍ଚରେ ଚାଲୁଥିବା ବିଜ୍ଞାପନ ଉପରେ ରୋକ୍ ଲଗାଯାଏ । ଏହା ବ୍ୟତୀତ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ରହିଥାଏ । ରାଜନୈତିକ ଦଳର ନେତାମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିଥାଏ ଯେ, ସେମାନେ କୌଣସି ବି ଜାତି କିମ୍ବା ସଂପ୍ରଦାୟ ମଧ୍ୟରେ ଘୃଣା ପ୍ରସାର କରିବା ଭଳି ଗତିବିଧି ଏବଂ ବୟାନବାଜିରୁ ନିବୃତ ରହିବେ । ମନ୍ଦିର, ମସଜିଦ କିମ୍ବା ଅନ୍ୟ ଧାର୍ମିକ ଅନୁଷ୍ଠାନକୁ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ ।

ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ମତଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଥାଏ । ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କ ଜାଗା, ଘର, ପରିସରର କାନ୍ଥରେ ପତାକା କି ବ୍ୟାନର ଲଗାଇବାକୁ ହେଲେ ଉକ୍ତ ଘରର ମାଲିକଙ୍କ ଅନୁମତି ନେବା ଜରୁରୀ ହୋଇଥାଏ ।