ବିଜେପିର ବସିଛି କୋର କମିଟି ବୈଠକ, ହଟିବ କି ମେଂଟ ଉପରୁ ସସପେନ୍ସ


ଭୁବନେଶ୍ୱର: ବିଜେଡି ସହ ମେଂଟ ହେବ କି ନାହିଁ ଏହା ମଧ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ଶନିବାର ବସିଛି ବିଜେପିର କୋର କମିଟି ବୈଠକ । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ଏଥିରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ପ୍ରଭାରୀ ବିଜୟ ପାଲ ସିଂ ତାମାର, ସହପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି । ୨୦୨୪ ନିର୍ବାଚନରେ ଦଳ କେମିତି ଲଢିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

ବସିଥିବା ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭାରେ ଦଳର ସ୍ଥିତି କିଭଳି ରହିଛି ତା ଉପରେ ମଧ୍ୟ ଆଲୋଚନା ହେବ । କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ଆଶାୟୀଙ୍କୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ । ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ମିଳିିଥିବା ରିପୋର୍ଟରେ ଆଶାୟୀଙ୍କୁ ଟିକେଟ୍ ଦେବା ଉପରେ କସରତ ହେବ । ଆଶାୟୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଆଜି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟକୁ ପଠାଯାଇପାରେ । ଏହି ବୈଠକକୁ ମଧ୍ୟ ମେଂଟ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଉପରୁ ପରଦା ହଟିପାରେ । ଠୈଠକରେ ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ସମ୍ବିତ ପାତ୍ର, ସମୀର ମହାନ୍ତିଙ୍କ ସମେତ ବିଧାୟକ ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି ।

ଏହି ବୈଠକରେ କେବଳ ବିଜେପି ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରିବ ନା ମେଂଟ ଉପରେ ମଧ୍ୟ ଆଲୋଚନା ହେବ ତା ଉପରେ ମଧ୍ୟ ସଭିଙ୍କ ନଜର ରହିଛି । କାରଣ ଏ ପର୍ଯ୍ୟନ୍ତ ବିଜେପି ଓ ବିଜେଡିର ନେତା ଓ କର୍ମୀ ମେଂଟ ନେଇ ଅନ୍ଧାରରେ ରହିଛନ୍ତି । ଦ୍ୱନ୍ଦ୍ୱ ଏବଂ ସସପେନ୍ସ ହଟୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି ପୁଣି ନିର୍ବାଚନୀ ବିଗୁଲ ବାଜିବାକୁ ଯାଉଛି । ତେଣୁ ମେଂଟ ଉପରେ ଦ୍ୱନ୍ଦ୍ୱ ହଟାଇବା ନେଇ ଦଳୀୟ କର୍ମୀ ଆଜିର ବିଜେପି କୋର କମିଟି ବୈଠକରୁ ଆଶା ରଖିଛନ୍ତି ।

ସେପଟେ ମଧ୍ୟ ବିଜେଡିର ବୈଠକ ବସିବାକୁ ଯାଉଛି । ଆଶା କରାଯାଉଛି ଏହି ଦୁଇ ଦୁଇ ବୈଠକରୁ ମେଂଟ ନେଇ ଥିବା ଦ୍ୱନ୍ଦ୍ୱ ହଟିବ । ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡିଛନ୍ତି । ନିର୍ବାଚନ ତାରିଖ ଆଜି ଘୋଷଣା ହେଉଥିବାରୁ ଦଳମାନଙ୍କ ହାତରେ ଆଉ ଅଳ୍ପ ସମୟ ରହିଛି । ତେଣୁ ମେଂଟ ନେଇ ଶୀଘ୍ର କିଛି ନିଷ୍କର୍ସ ବାହାରିପାରେ ।