ରାଜ୍ୟ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ, ସଂସଦୀୟ କମିଟି ମାରିବ ମୋହର


ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ଆଉ ଦଳମାନଙ୍କ ମଧ୍ୟରେ କସରତ ଆରମ୍ଭ ହୋଇ ଯାଇଛି । ମେଂଟ ଚର୍ଚ୍ଚା ମଧ୍ୟରେ ଗତକାଲି ବିଜେପିର ନିର୍ବାଚନୀ କୋର କମିଟି ବୈଠକ ବସିଥିଲା । ଏଥିରେ ଦଳ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ୧୪୭ ବିଧାୟକ ଏବଂ ୨୧ ଲୋକସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଦଳ କେନ୍ଦ୍ର ସଂସଦୀୟ ବୋର୍ଡ ପାଖକୁ ପଠାଯିବ । ଏହା ଉପରେ କେନ୍ଦ୍ରୀୟ ବୋର୍ଡ ଚୂଡାନ୍ତ ମୋହର ମାରିବେ । ଏହା ପରେ ରାଜ୍ୟ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ବସିଥିବା ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭାରେ ଦଳର ସ୍ଥିତି କିଭଳି ରହିଛି ତା ଉପରେ ମଧ୍ୟ ଆଲୋଚନା ହୋଇଛି । କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ଆଶାୟୀଙ୍କୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି । ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ମିଳିିଥିବା ରିପୋର୍ଟରେ ଆଶାୟୀଙ୍କୁ ଟିକେଟ୍ ଦେବା ଉପରେ କସରତ ହୋଇଛି । ଆଶାୟୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିକଟକୁ ପଠାଯାଇପାରେ । ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବ, ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ପ୍ରଭାରୀ ବିଜୟ ପାଲ ସିଂ ତାମାର, ସହପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ । ଏହା ସହିତ ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ସମ୍ବିତ ପାତ୍ର, ସମୀର ମହାନ୍ତିଙ୍କ ସମେତ ବିଧାୟକ ଓ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ ।

ସେପଟେ ଗୃହ ମନ୍ତ୍ରୀ ଅମିତ୍ ଶାହ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡିଛନ୍ତି । ନିର୍ବାଚନ ତାରିଖ ଆଜି ଘୋଷଣା ହୋଇ ସାରିଥିବାରୁ ଦଳମାନଙ୍କ ହାତରେ ଆଉ ଅଳ୍ପ ସମୟ ରହିଛି । ତେଣୁ ମେଂଟ ନେଇ ଶୀଘ୍ର କିଛି ନିଷ୍କର୍ସ ବାହାରିପାରେ ।