ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା କରି ସାରିଛି । ମୋଟ୍ ସାତୋଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନର ଗୋଟିଏ ତାରିଖ ଏପ୍ରିଲ ୨୬ ତାରିଖ ରହିଛି, ଯାହା ଶୁକ୍ରବାର ପଡୁଛି । ଏହାକୁ ଦେଖି ମୁସଲିମ ସଂଗଠନ ନିର୍ବାଚନ ଆୟୋଗଙ୍କୁ ତାରିଖ ବଦଳାଇବାକୁ ଦାବି କରିଛନ୍ତି । ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(ଆଇୟୁଏମଏଲ) ଓ କେରଳର ଏକ ମୁସଲିମ ସଂଗଠନ ମୁସଲିମଙ୍କ ପାଇଁ ଜୁମେର ମହତ୍ୱକୁ ଦର୍ଶାଇ ଏପ୍ରିଲ ୨୬ ତାରିଖରେ ଭୋଟିଂ ନ କରାଇବାକୁ ଅପିଲ୍ କରିଛନ୍ତି ।
ଆଇୟୁଏମଏଲର ରାଜ୍ୟ ସାଧାରଣ ସଂପାଦକ ପିଏମଏ ସଲାମ କହିଛନ୍ତି କେରଳରେ ଏପ୍ରିଲ ୨୬ରେ ନିର୍ବାଚନ କରାଇଲେ ମତଦାତା, ନିର୍ବାଚନ ଅଧିକାରୀ ଓ ମତଦାନ ଏଜେଂଟ ହଇରାଣ ହେବେ । କାରଣ ଶୁକ୍ରବାର ଜୁମା ପଡୁଛି । ଏହି ଦିନ ମୁସଲିମ ସମୁଦାୟ ମସଜିଦରେ ଏକତ୍ରିତ ହୁଅନ୍ତି । ଏହି ଦିନ କେରଳ ଓ ତାମିଲନାଡୁରେ ଭୋଟିଂ କରାଇବା ମୁସ୍କିଲ ହେବ । ଆମେ ଏହି କଥାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ଉଠାଇଛୁ ।
ଆଇୟୁଏମଏଲ ବ୍ୟତୀତ କେରଳର ଏକ ପ୍ରମୁଖ ମୁସଲିମ ସଂଗଠନ ସମସ୍ତ କେରଳ ଜମିୟଥୁଲ ଉଲମା ଚିନ୍ତା ପ୍ରକାଶ କରି କହିଛନ୍ତି ଶୁକ୍ରବାର ନିର୍ବାଚନ ହେଲେ ମତଦାତା ଓ ଡ୍ୟୁଟିରେ ନିୟୋଜିତ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ମତଦାନ ପ୍ରତିଶତକୁ ଏହା ପ୍ରଭାବିତ କରିପାରେ । ସଂଗଠନର ଅଧ୍ୟକ୍ଷ ସୈୟଦ ମହମ୍ମଦ ଜିଫରି ମୁଥୁକ୍କୋୟା ଏବଂ ସାଧାରଣ ସଂପାଦକ ଅଲିକୁଟ୍ଟି ମୁସଲିୟାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଏପ୍ରିଲ ୨୬ରେ ହେବାକୁ ଥିବା ମତଦାନ ସ୍ଥଗିତ କରିବାକୁ ଅନୁରୋଧ କରିଛନ୍ତି ।