ନିର୍ବାଚନୀ କସରତ, ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ; ପ୍ରାର୍ଥୀ ତାଲିକା ଉପରେ ବାଜିପାରେ ମୋହର


ଭୁବନେଶ୍ୱର: ନିର୍ବାଚନୀ ବିଗୁଲ ବାଜି ସାରିଛି । ଓଡିଶାରେ ମେଂଟ ହେବ କି ନାହିଁ ତାହା ସସପେନ୍ସ ଭିତରେ ରହିଛି । କିନ୍ତୁ ଏହା ମଧ୍ୟରେ ବିଜେପି ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶନିବାର ନିର୍ବାଚନୀ କୋର କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ଆଉ ଏହାକୁ ଧରି ଆଜି ଦିଲ୍ଲୀ ଅଭିମୁଖେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯାଇଥିବା କୁହାଯାଉଛି । ସେଠାରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ସମ୍ମୁଖରେ ତାଲିକା ଉପସ୍ଥାପନ କରିବେ ଏବଂ ସଟ୍ ଲିଷ୍ଟ ହୋଇ ଚୂଡାନ୍ତ ହେବା ପରେ ରାଜ୍ୟରେ ପ୍ରାର୍ଥୀ ଷୋଷଣା କରାଯିବ ।

ଶନିବାର ବସିଥିବା ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭାରେ ଦଳର ସ୍ଥିତି କିଭଳି ରହିଛି ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ଆଶାୟୀଙ୍କୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ମିଳିିଥିବା ରିପୋର୍ଟରେ ଆଶାୟୀଙ୍କୁ ଟିକେଟ୍ ଦେବା ଉପରେ କସରତ ହୋଇଥିଲା । ଆଉ ଆଶାୟୀଙ୍କ ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଛ । ତାଲିକାକୁ ଧରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବା କୁହାଯାଉଛି । ସେଠାରେ ତାଲିକାକୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ। ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କିଏ କେଉଁଠୁ ବିଜେପିର ପ୍ରାର୍ଥୀ ହେବେ ତାର ଚୂଡାନ୍ତ ନିଷ୍ପତି ନେବେ ସଂସଦୀୟ ବୋର୍ଡ ।

ଶନିବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ପ୍ରଭାରୀ ବିଜୟ ପାଲ ସିଂ ତାମାର, ସହପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ । ଏହା ସହିତ ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ସମ୍ବିତ ପାତ୍ର, ସମୀର ମହାନ୍ତିଙ୍କ ସମେତ ବିଧାୟକ ଓ ପର୍ଯ୍ୟବେକ୍ଷକ ଯୋଗ ଦେଇଥିଲେ । ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବ, ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।