ଇଲେକ୍ଟୋରାଲ ବଣ୍ଡ ଜରିଆରେ CSK ଏହି ପାର୍ଟିକୁ ଦେଇଥିଲା ୫ କୋଟି ଟଙ୍କାର ଫଣ୍ଡିଂ, ରିପୋର୍ଟରେ ଖୁଲାସା


ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ ନେଇ ପୁରା ଦେଶରେ ରାଜନୀତି ସରଗରମ ରହିଛି । ସୁପ୍ରିମକୋର୍ଟଙ୍କଠୁ ନେଇ ନିର୍ବାଚନ ଆୟୋଗ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉପରେ କଠୋର ଆଭିମୁଖ୍ୟ ଆପଣଉଛନ୍ତି । ସୁପ୍ରିମକୋର୍ଟ ଏସବିଆଇକୁ ବାରମ୍ବାର ତାଗିଦ୍ କରି ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେବାକୁ ଆଦେଶ ଦେଉଛନ୍ତି । ଆଉ ଇଲେକ୍ଟୋରାଲ ବଣ୍ଡ ଜରିଆରେ କମ୍ପାନୀଗୁଡିକ କେଉଁ ପାର୍ଟିକୁ କେତେ ଚାନ୍ଦା ଦେଇଛନ୍ତି ତାର ଖୁଲାସା ହୋଇ ଚାଲିଛି । ଏହା ମଧ୍ୟରେ ଏକ ବଡ ଖବର ଆସିିଛି ଯେ, ଆଇପିଏଲର ସବୁଠୁ ସଫଳତମ ଫ୍ରାଂଚାଇଜ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟ ଗୋଟିଏ ପାର୍ଟିକୁ ମୋଟା ଅଙ୍କର ଚାନ୍ଦା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ହତଚକିତ ।

ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସକୁ ‘ଚେନ୍ନାଇ ସୁପର କିଙ୍ଗ୍‌ସ କ୍ରିକେଟ୍ ଲିମିଟେଡ’ ନାମକ କମ୍ପାନୀ ପରିଚାଳନ କରୁଛି । ଏହି କମ୍ପାନୀର ପ୍ୟାରେଂଟ ସଂସ୍ଥା ହେଉଛି ଇଣ୍ଡିଆ ସିମେଂଟ, ଆଉ ଯାହାର ମାଲିକ ହେଉଛନ୍ତି ଏନ ଶ୍ରୀନିବାସନ । ଚେନ୍ନାଇ ସୁପର କିଙ୍ଗ୍‌ସ କ୍ରିକେଟ୍ ଲିମିଟେଡ ହିଁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ତାମିଲନାଡୁର ଏଆଇଏଡିଏମକେକୁ ଚାନ୍ଦା ଦେଇଥିଲା । ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ଏଆଇଡିଏମକେକୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ମୋଟ୍ ୬.୦୫ କୋଟି ଟଙ୍କା ଚାନ୍ଦା ମିଳିଥିଲା । ଏଥିରୁ ୯୦ ପ୍ରତିଶତ ଅର୍ଥ ସିଏସକେ କ୍ରିକେଟ୍ ଲିମିଟେଡରୁ ଆସିଥିଲା ।

ଋିପୋର୍ଟ ଅନୁ୍‌ଯାୟୀ ସିଏସକେ ଲିମିଟେଡ ୨୦୧୯ରେ ଏଆଇଏଡିଏମକେକୁ ଏହି ଚାନ୍ଦା ଦେଇଛି । ସବୁଠୁ ବଡ କଥା ଦୁଇ ଦିନ ଭିତରେ ଅର୍ଥାତ ୨୦୧୯ ଏପ୍ରିଲ ୨ରୁ ୪ ତାରିଖ ଭିତରେ ହିଁ ଏଆଇଡିଏମକେକୁ ୫ କୋଟି ଚାନ୍ଦା ମିଳିଛି । କିନ୍ତୁ ଏହା ପରେ ଏଆଇଏଡିଏମକେକୁ ସିଏସକେ ପକ୍ଷରୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ କୌଣସି ଚାନ୍ଦା ଦିଆଯାଇ ନାହିଁ ।