ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, ପ୍ରାର୍ଥୀ ତାଲିକା ଉପରେ କେନ୍ଦ୍ର ନିଷ୍ପତି ନେବ: ଜୁଏଲ ଓରାମ


ଭୁବନେଶ୍ୱର: ନିର୍ବାଚନୀ ବିଗୁଲ ବାଜି ସାରିଛି । ଓଡିଶାରେ ମେଂଟ ହେବ କି ନାହିଁ ତାହା ସସପେନ୍ସ ଭିତରେ ରହିଛି । କିନ୍ତୁ ଏହା ମଧ୍ୟରେ ବିଜେପି ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ମେଂଟ ଚର୍ଚ୍ଚା ପ୍ରସଙ୍ଗରେ ସୋମବାର ବିଜେପି ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସୁନ୍ଦରଗଡର ସାଂସଦ କହିଛନ୍ତି । ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତି ନେବ । ଯାହା କେନ୍ଦ୍ର ନିଷ୍ପତି ନେବ ସେହି ଅନୁସାରେ ହେବ ।

ସୋମବାର ନୂଆଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ବସୁଛି । ସେଥିରେ ଯୋଗ ଦେବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ଏହା ସହିତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଯାଇଥିବା କୁହାଯାଉଛି । ଏହା ମଧ୍ୟରେ ଆଜି ଜୁଏଲ ଓରାମ କହିଛନ୍ତି ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ୧୪୭ ବିଧାନସଭା ଓ ୨୧ ଲୋକସଭାକୁ ନେଇ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯାଇଛି । ଏହା ଉପରେ କେନ୍ଦ୍ର ଯାହା ନିଷ୍ପତି ନେବ ତାହା ଆମେ ମାନି ଆଗକୁ ବଢିବୁ ।

ସୂଚନାଯୋଗ୍ୟ, ଶନିବାର ବସିଥିବା ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭାରେ ଦଳର ସ୍ଥିତି କିଭଳି ରହିଛି ତା ଉପରେ ଆଲୋଚନା ହୋଇଥିଲା । କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ଆଶାୟୀଙ୍କ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନିର୍ବାଚନୀ ପର୍ଯ୍ୟବେକ୍ଷକଙ୍କ ମିଳିିଥିବା ରିପୋର୍ଟରେ ଆଶାୟୀଙ୍କୁ ଟିକେଟ୍ ଦେବା ଉପରେ କସରତ ହୋଇଥିଲା । ଆଉ ଆଶାୟୀଙ୍କ ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା । ତାଲିକାକୁ ଧରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବା କୁହାଯାଉଛି ।

ଗୃହ ମନ୍ତ୍ରୀ ଅମିତ୍ ଶାହ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ଛାଡିଛନ୍ତି । ନିର୍ବାଚନ ତାରିଖ ଆଜି ଘୋଷଣା ହୋଇ ସାରିଥିବାରୁ ଦଳମାନଙ୍କ ହାତରେ ଆଉ ଅଳ୍ପ ସମୟ ରହିଛି । ତେଣୁ ମେଂଟ ନେଇ ଶୀଘ୍ର କିଛି ନିଷ୍କର୍ସ ବାହାରିପାରେ ବୋଲି କୁହାଯାଉଛି ।