ସୁବଳୟା କୁ ଏନ୍ ଏ ସି ଘୋଷଣା ପରେ ବୀରମହାରାଜପୁର ବିଧାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗଡ଼ଜାତ ଅଞ୍ଚଳ ସୁବଳୟା କୁ ଏନ୍ ଏ ସି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି I ରବିବାର ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ସୁବଳୟା ପହଁଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ଵାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଛି l ବିଧାୟକ ଶ୍ରୀ ବେହେରା ଙ୍କ ଉଦ୍ୟମ କ୍ରମେ ସୁବଳୟା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ ଅଂଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଗତ ମାସ 27 ତାରିଖ ରେ ସୁବଳୟା କୁ ଏନ୍ ଏ ସି ଘୋଷଣା ଦାବିରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ସୁବଳୟା କ୍ରିୟାନୁଷ୍ଠାନ କମିଟି l ଦାବିକୁ ଜତାର୍ଥ ଅନୁଭବ କରି ରାଜ୍ୟ ସରକାର ଦ୍ଵିତୀୟ ପର୍ଯ୍ୟାୟ ରେ 22 ଟି ଅଂଚଳକୁ ଏନ୍ ଏ ସି ମାନ୍ୟତା ଦେଇଥିବା ବେଳେ ଏଥିରେ ସୁବଳୟା ନାମ ରହିଥିଲା I ଏ ନେଇ ସୁବଳୟା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ସୂଚନା ଯେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର , ଉଲୁଣ୍ଡା ଓ ସୁବଳୟା କୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି I ରବିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପଦ୍ମନାଭ ବେହେରା , ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ବେହେରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ ଅବସରରେ ସୁବଳୟା ସହରରେ ଏକ ଶୋଭାଯାତ୍ରା ବାହାରି ଶତାଧିକ ମହିଳା ଓ ପୁରୁଷ, ବିଜେଡି କର୍ମୀ ଗହଣରେ ପରିକ୍ରମା କରିଥିଲେ l