ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଏସବିଆଇ ଦ୍ୱାରା ପ୍ରଦତ ଇଲେକ୍ଟୋରାଲ ବଣ୍ଡ ସଂପର୍କିତ ତଥ୍ୟକୁ ନିର୍ବାଚନ ଆୟୋଗ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି । ଏହା ପରେ କେଉଁ ରାଜନୈତିକ ଦଳକୁ କେତେ ଚାନ୍ଦା ମିଳିଛି ଏବଂ କେଉଁ କମ୍ପାନୀରୁ ମିଳିଛି ତାର ଖୁଲାସା ହେବାରେ ଲାଗିଛି । ରାଜ୍ୟରେ ୨୪ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ସରକାର ମଧ୍ୟ ନିର୍ବାଚନୀ ବଣ୍ଡରେ ମାଲାମାଲ ହୋଇଛି । ଏହାକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ବୁଧବାର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି । ଅନୁକମ୍ପା ବଦଳରେ ଅନୁଦାନ ଚାଲିଥିବା ସେ କହିଛନ୍ତି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ କହିଛନ୍ତି, ଦେଶରେ ବିଜେପି ଓ ରାଜ୍ୟରେ ବିଜେଡି ସବୁଠୁ ଅଧିକ ଟଙ୍କା ନେଇଛି । ମେଗା ଇଞ୍ଜିନିୟରିଂ ନାମକ କମ୍ପାନୀ ଓଡିଶାରେ ଲଗାତାର କାମ ପାଇ ଚାଲିଛି । ୪୫୧୨ କୋଟିରୁ ଅଧିକ ଟଙ୍କାର କାମ କମ୍ପାନୀକୁ ଦିଆଯାଇଛି । ଏଷ୍ଟିମେଟରୁ ଅଧିକ ଟଙ୍କାରେ କାମ ଦିଆଯାଉଛି, ଫଳରେ ସମୟ ସୀମାରେ କୌଣସି କାମ ସରୁନି । ନବୀନ ବାବୁ ଅନୁକମ୍ପା ଦେଖାଇ ସରକାରୀ କଳର ଅପବ୍ୟବହାର କରିଛନ୍ତି । ଅନୁକମ୍ପା ପାଇବା ପ୍ରତିବଦଳରେ ବିଜେଡିକୁ ଏହି ସଂସ୍ଥା ଶହ ଶହ କୋଟି ଟଙ୍କା ଦେଇଛି । ବିଜୟଙ୍କ ଏଭଳି ସଙ୍ଗୀତନ ଅଭିଯୋଗ ନେଇ ବିଜେଡି କିମ୍ବା ସଂପୃକ୍ତ ସଂସ୍ଥାର ପ୍ରତିକ୍ରିୟା ମିଳିନି । ଆଂଚଳିକ ଦଳ ହିସାବରେ ବିଜେଡି ତୃତୀୟ ସବୁଠୁ ଅଧିକ ନିର୍ବାଚନୀ ବଣ୍ଡ ଜରିଆରେ ଚାନ୍ଦା ମିଳିଛି ।
ସୂଚନାଯୋଗ୍ୟ, ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିକୁ ମୋଟ୍ ୬ ହଜାର ୯୮୬ କୋଟି ଟଙ୍କା ମିଳିଛି । ୨୦୧୯-୨୦ରେ ଦଳକୁ ସବୁଠୁ ଅଧିକ ୨୫୫୫ କୋଟି ଟଙ୍କାର ଚାନ୍ଦା ମିଳିଛି । ଆଉ ବିଜେଡିକୁ ୯୪୪.୫ କୋଟି ଟଙ୍କାର ଧନରାଶି ବଣ୍ଡ ଜରିଆରେ ମିଳିଛି । କଂଗ୍ରେସକୁ ୧୩୩୪ କୋଟି ଟଙ୍କା, ଟିଏମସକିକୁ ୧୩୯୭ କୋଟି ଟଙ୍କା ମିଳିଥିବା ବେଳେ ବିଆରଏସକୁ ୧୩୨୨ କୋଟି ଟଙ୍କା ମିଳିଛି ।