ବିଜେଡିରେ ମିଶିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା


ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ଅଧିରାଜ ପାଣିଗ୍ରାହୀ ଆଜି ବିଜେଡିରେ ମିଶିଛନ୍ତି । ବୁଧବାର ରାଜଧାନୀ ସ୍ଥିତ ଶଙ୍ଖଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍ ହୋଇଛନ୍ତି । ଏହି ସମୟରେ ତାଙ୍କର ଶତାଧିକ ସମର୍ଥନ ଉପସ୍ଥିତ ଥିଲେ ।

ନିର୍ବାଚନ ପୂର୍ବରୁ ଗତକାଲି କଂଗ୍ରେସକୁ ଜୋରଦାର ଝଟକା ଦେଇ ଦଳ ଛାଡିଥିଲେ ଖଡିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ । ଏହା ପରେ ତାଙ୍କର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଆଜି ନିଜର ସମର୍ଥକଙ୍କ ସହିତ ବିଜେଡିରେ ମିଶିଛନ୍ତି ଅଧିରାଜ । ଏହି ସମୟରେ ସାଂସଦ ମାନସ ମଙ୍ଗରାଜ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି କଂଗ୍ରେସ ଛାଡିବା ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅଧିରାଜ କହିଥିଲେ, ଖଡିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡିଛି । କେଉଁ ଦଳକୁ ଯିବି କର୍ମୀଙ୍କ ସହ ଆଲୋଚନା କରି କହିବି । ଆଉ ଏଥର ନିର୍ବାଚନରେ ଖଡିଆଳରୁ ନିଶ୍ଚିତ ଲଢିବି ବୋଲି ସେ କହିଥିଲେ ।

ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସରେ ଥିଲେ ଅଧିରାଜ । ୨୦୧୯ରେ କଂଗ୍ରେସ ଟିକେଟରେ ୫୯,୩୦୮ ଖଣ୍ଡ ଭୋଟ୍ ପାଇ ବିଜେଡି ନେତା ଲମ୍ବୋଦର ନିଆଲଙ୍କୁ କଡା ପ୍ରତିଦ୍ୱନ୍ଦ୍ୱିତାରେ ୩ ହଜାର ଭୋଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ । ମଙ୍ଗଳବାର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପଠାଇ ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଓଡିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ । ଦଳ ଦୁର୍ୱଳ ହୋଇ ସାରିଛି । କଂଗ୍ରେସ ମୋତେ ବହୁତ କିଛି ଦେଇଛି କିନ୍ତୁ ସାଂପ୍ରତିକ ସ୍ଥିତି ପାଇଁ ମୁ ଦଳ ଛାଡିଥିବା ସେ ଗତକାଲି କହିଥିଲେ।

ସୂଚନାଯୋଗ୍ୟ, ମମିତା ମେହେର ଘଟଣା ହେଉ କି ଦରବୃଦ୍ଧି ଅନେକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ଅଧିରାଜ ପାଣିଗ୍ରାହୀ । କିନ୍ତୁ କିଛି ଦିନ ହେବ ସେ ନିବର ରହିଥିଲେ । ତେଣୁ ଅଧିରାଜ କଂଗ୍ରେସ ଛାଡି ବିଜେଡିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା । ଆଉ ତାହା ସତରେ ପରିଣତ ହୋଇଛି ।