Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶାରେ କିଛି ବି ହୋଇପାରେ, ମେଣ୍ଟ ଉପରେ ଆଗ ନିଷ୍ପତ୍ତି ହେଉ, ଜାଣନ୍ତୁ ଆଉ କଣ କହିଲେ ଶାହ

ଭୁବନେଶ୍ଵର: ନିର୍ବାଚନୀ ବିଗୁଲ ବାଜି ସାରିଛି। ରାଜନୈତିକ ଦଳଗୁଡ଼ିକ ପାଇଁ ଅଳ୍ପ ସମୟ ବାକି ରହିଛି। କିନ୍ତୁ ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରିଲା ନାହିଁ। ଦିଲ୍ଲୀ ଦରବାରରେ ଝୁଲ ରହିଛି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ। ଗତକାଲି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ ନ୍ୟୁଜ୍୧୮ରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମେଣ୍ଟ ଉପରେ ମାପିଚୁପି ଟିପ୍ପଣୀ କରିଥିବା  ବେଳେ ଆଜି ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ଅମିତ୍ ଶାହଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶାରେ କିଛି  ବି ହୋଇପାରେ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

ଅମିତ ଶାହ କହିଛନ୍ତି ଏ ସଂପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଷ୍ପତ୍ତି ନେବେ। ନିଶ୍ଚିତ ଭାବେ ଏଥର ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢିବ। ଓଡ଼ିଶାରେ ଆମ ଶକ୍ତିରେ ଅଭିବୃଦ୍ଧି ଘଟିବ। ଆମ ସଂଗଠନ ମଜବୁତ ହେବାରେ ଲାଗିଛି। କିଛି ବି ହୋଇପାରେ, ପ୍ରଥମେ ଏ ନେଇ ନିଷ୍ପତ୍ତି ଆଗ ହେଉ। ଆମେ ଏକାଠି ଲଢିବୁ କି ଏକା ଲଢିବୁ ଆଗ ନିଷ୍ପତ୍ତି ହେଉ। ଯଦି ଏକାଠି ଲଢିବୁ ନବୀନ ବାବୁଙ୍କ ସାଥୀ ହୋଇ ଲଢିବୁ। ଏକାକୀ ଲଢିଲେ ସରକାର ଗଠନ ପାଇଁ ଲଢିବୁ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହ। ତାଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଏବେ ବି ମେଣ୍ଟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ବିଜେଡି-ବିଜେପି ସମ୍ଭାବ୍ୟ ମେଂଟକୁ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଆଜି ନୂଆମୋଡ଼ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଗତକାଲି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପ୍ରଶ୍ନ ଉପରେ ପାଣ୍ଡିଆନ କହିଥିଲେ ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହାଁନ୍ତି । ଯାହାକି ରାଜନୀତିରୁ ଉର୍ଦ୍ଧ୍ଵରେ ଓ ଏହା ହିଁ ରାଷ୍ଟ୍ରନୀତି । ନିର୍ବାଚନୀ ଗଣିତ ପାଇଁ କି ସରକାର ଗଢିବା ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। କେନ୍ଦ୍ରରେ ସରକାର ଗଢିବ ପାଇଁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କିମ୍ବା ରାଜ୍ୟରେ ସରକାର ଗଢିବା ପାଇଁ ବିଜେଡିକୁ ସମର୍ଥନ ଦରକାର ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । କିନ୍ତୁ ସେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚାରେ ସାମାନ୍ୟ ସ୍ପଷ୍ଟତା ମଧ୍ୟ ସେ ଆଣିଛନ୍ତି। ଏହା ସହିତ ସେ ରାଜନୀତିରେ ନବୀନ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି ଭାବନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜନୀତିରେ ସାମିଲ ହୋଇଥିବା ପାଣ୍ଡିଆନ କହିଛନ୍ତି।