ଭୁୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ନବୀନ ନିବାସରେ ଟିକେଟ୍ ପାଇଁ କସରତ ଚାଲିଛି । ଗତକାଲି କୋରାପୁଟ ଓ ନବରଙ୍ଗପୁର ପରେ ଆଜି ଭୁୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହେବ । ବୈଠକରେ ଭୁୁବନେଶ୍ୱର ପର୍ଯବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଞ୍ଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତଙ୍କ ସହ ଛାମୁଆ ନେତା ଯୋଗ ଦେବେ ।
ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଂଚଳ ଏବେ ବିଜେଡି ଶିବିର । ନବୀନ ନିବାସରେ ଦଳ ସୁପ୍ରିମୋଙ୍କ ସହ ନେତାଙ୍କ ମାରାଥନ ବୈଠକ ଚାଲିଛି । ଏଥିରେ ଜିଲ୍ଲାୱାରୀ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ ଚାଲିଛି । ବୁଧବାର କୋରାପୁଟ ଓ ନବରଙ୍ଗପୁର ପରେ ଆଜି ନବୀନ ନିବାସରେ ଭୁୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ନେଇ ସମୀକ୍ଷା ହେବ । ବିଶେଷ କରି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର । କାରଣ ଏଠାକାର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଅନେକ ଆଶାୟୀ ରହିଥିବାରୁ ଦଳୀୟ କନ୍ଦଳ ମଧ୍ୟ ରହିଛି । କିପରି ଏହାର ମୁକାବିଲା କରାଯାଇ ପାରିବ ସେ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ।
ସେହିପରି ଭୁୁବନେଶ୍ୱର ଲୋକସଭା ସିଟକୁ ନେଇ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି । କାରଣ ଏହି ଆସନଟି ବର୍ତମାନ ବିଜେପି ହାତରେ ରହିଛି । ଏଠାରେ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍ ଦେବାକୁ ହେଲେ ସେମିତି ପ୍ରାର୍ଥୀ ଛିଡା କରାଇବା ସହ ସ୍ୱତନ୍ତ୍ର ରଣନୀତି କରିବାକୁ ପଡିବ । ତେଣୁ ଆଜିର ବୈଠକରେ ଅଙ୍କକଷା ଯିବ ବୋଲି କୁହାଯାଉଛି । କନ୍ଧମାଳ ପାଇଁ ବିଜେଡିର ବିଶେଷ ଚିନ୍ତା ନାହିଁ । କାରଣ ସେଠାରେ ଅଚ୍ୟୁତ ସାମନ୍ତ ସାଂସଦ ଅଛନ୍ତି । ତାଙ୍କ ହାତରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୋଟ୍ ବ୍ୟାଙ୍କ ରହିଛି ।
ସୂଚନାଯୋଗ୍ୟ, ଗତକାଲି ସକାଳେ କୋରାପୁଟ ଓ ଅପରାହ୍ଣରେ ସଂସଦୀୟ କ୍ଷେତ୍ରକୁ ନେଇ ବୈଠକ ବସିଥିଲା । ଏଥିରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ, ମନ୍ତ୍ରୀ ଜଗନ୍ନାଥ ସାରକା,ପିତମ ପାଢୀ, ଭାସ୍କର ରାଓ ଓ ରବି ନନ୍ଦଙ୍କ ସହ ଆଉ କିଛି ନେତା ସାମିଲ ହୋଇଥିଲେ । ସେହିପରି ନବରଙ୍ଗପୁର କସରତ ସମୟରେ ବୈଠକରେ ମାନସ ମାଡକାମି, ସୁବାସ ଗଣ୍ଡ, ଚନ୍ଦ୍ର ଶେଖର ମାଝୀ, ପଦ୍ମିନୀ ଦିଆନ, ଈଶ୍ୱର ପାଣିଗ୍ରାହୀ, ପ୍ରଦୀପ ମାଝୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସାଂସଦ ରମେଶ ମାଜଝୀ, ପର୍ଯ୍ୟବେକ୍ଷକ ଓ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।