Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧାନ୍ତଙ୍କୁ ନେଇ ସରଗରମ ଗଞ୍ଜାମ ରାଜନୀତି, ବ୍ରହ୍ମପୁର ନା ଅନ୍ୟ ସିଟରୁ ନିର୍ବାଚନ ଲଢିବେ ଅଭିନେତା

ବ୍ରହ୍ମପୁର: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେ ସମୟ ବାକି ରହିଛି। ଏବେଠୁ ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଦଳମାନଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ତେବେ ଏହା ମଧ୍ୟରେ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ରହିଥିବା ସିଦ୍ଧାନ୍ତ ମହାପାତ୍ର ଅଚାନକ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଅଭିନେତାରୁ ନେତା ହୋଇଥିବା ସିଦ୍ଧାନ୍ତଙ୍କୁ ଗତ କିଛି ଦିନ ହେବ ବ୍ରହ୍ମପୁରରେ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି। କଣ ୨୦୨୪ରେ ବ୍ରହ୍ମପୁର ରାଜନୀତିକୁ ଫେରିବେ କି ସିଦ୍ଧାନ୍ତ ମହାପାତ୍ର ? କଣ ଦଳ ତାଙ୍କୁ ଏଥର ଟିକଟ୍ ଦେବ। ସେ ନେଇ ଚର୍ଚ୍ଚା ଜୋର ଧରିଲାଣି।

ରାଜ୍ୟର ୨୧ ଲୋକସଭା ମଧ୍ୟରୁ ବ୍ରହ୍ମପୁର ଲୋକସଭାର ବେଶ ଗୁରୁତ୍ଵ ରହିଛି। ଏହି ଆସନ ବର୍ତ୍ତମାନ ବିଜେଡି ହାତରେ ରହିଛି ଏବଂ ଚନ୍ଦ୍ରଶେଖର ସାହୁ ସାଂସଦ ଅଛନ୍ତି। ତେବେ ସିଦ୍ଧାନ୍ତ ମହାପାତ୍ର ଅଚାନକ ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବା ଗଞ୍ଜାମ ଜିଲ୍ଲା ରାଜନୀତିକୁ ସରଗରମ କରିଛି। କଣ ଆଗାମୀ ନିର୍ବାଚନ ପାଇଁ ଏବେଠୁ ଏହି ପୂର୍ବତନ ସାଂସଦ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନର ଚାରି ବର୍ଷରେ ସିଦ୍ଧାନ୍ତଙ୍କ ଆବିର୍ଭାବ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

୨୦୧୯ ନିର୍ବାଚନ ପରେ ରାଜନୀତିରୁ ଗାଏବ ହୋଇ ଯାଇଥିଲେ ସିଦ୍ଧାନ୍ତ ମହାପାତ୍ର। ଏହାର ଚାରି ବର୍ଷ ପରେ ତାଙ୍କର ଗଞ୍ଜାମ ଗସ୍ତ ବିଜେଡି ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିଛି। ୨୦୨୪ ନିର୍ବାଚନର ବର୍ଷେ ପୂର୍ବରୁ ଗଞ୍ଜାମ ଗସ୍ତରେ ଯାଇ ଛତ୍ରପୁର, ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତି କିଭଳି ରହିଛି ଏହି ବିଷୟରେ ଆଲୋଚନା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଦଳ ହାଇକମାଣ୍ଡଙ୍କଠୁ ଗ୍ରୀନ ସିଗନାଲ ମିଳିବା ପରେ ବ୍ରହ୍ମପୁର ରାଜନୀତକୁ ସିଦ୍ଧାନ୍ତ ମହାପାତ୍ର ଫେରିଥିବା କୁହାଯାଉଛି। ତେବେ ସବୁଠୁ ବଡ ପ୍ରଶ୍ନ ଏହା ଯେ, ସିଦ୍ଧାନ୍ତଙ୍କୁ ପୁଣି ଥରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ଟିକଟ୍ ମିଳିବ ନା ଦଳ ତାଙ୍କୁ ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରେ ଛିଡା କରାଇବ।

ସୂଚନାଯୋଗ୍ୟ, ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସିଦ୍ଧାନ୍ତ ବିଜେଡି ଟିକଟରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢି ଜିତିଥିଲେ। ତେବେ ୨୦୧୯ରେ ଦଳ ତାଙ୍କୁ ଟିକଟ୍ ଦେଇନଥିଲା। କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ। ଏହା ପରଠୁ ସିଦ୍ଧାନ୍ତଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ଆଉ ଦେଖିବାକୁ ମିଳିନଥିଲା। ସେ ଏକ ପ୍ରକାର ରାଜନୀତିରୁ ଗାଏବ ହୋଇ ଯାଇଥିଲେ। କୌଣସି ଦଳୀୟ କାର‌୍ୟ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନଥିଲା। ବେଳେ ବେଳେ ଏହା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ଯେ, ବିଜେଡିରେ କଣଠେସା ହୋଇ ରହିଥିବ ସିଦ୍ଧାନ୍ତ ବିଜେପିରେ ଯୋଗ ଦେଇ ପାରନ୍ତି।

କିନ୍ତୁ ଗଞ୍ଜାମ ରାଜନୀତିରେ ତାଙ୍କର ଅଚାନକ ଆବିର୍ଭାବ ଜିଲ୍ଲା ରାଜନୀତିର ଦୃଶ୍ୟପଟ୍ଟକୁ ବଦଳାଇ ଦେବା ଭଳି ଲାଗୁଛି। ଗତ କିଛି ଦିନ ହେବ ସେ କର୍ମୀଙ୍କ ସହ ମିଶୁଛନ୍ତି। ସେପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ଦଳରୁ ତଡା ଖାଇଥିଲେ। ଏହା ପରେ ଗୋପାଳପୁରରେ ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ସିଦ୍ଧାନ୍ତଙ୍କ ଜରିଆରେ ଏହାର ଭରଣା କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ପୂର୍ବରୁ ସିଦ୍ଧାନ୍ତ ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ରହିଛନ୍ତି। ତେଣୁ ବ୍ରହ୍ମପୁର, ଗୋପାଳ ଏବଂ ଛତ୍ରପୁର ଭଳି ନିର୍ବାଚନ ମଣ୍ଡଳୀରେ ତାଙ୍କର ଦବଦରା ରହିଛି ଏବଂ ସଂଗଠନ ରହିଛି। ଯାହାକୁ ପୁଣି ଥରେ ସକ୍ରିୟ କରିବାକୁ ସିଦ୍ଧାନ୍ତ ଅଚାନକ ଗସ୍ତ କରିଥିବା କୁହାଯାଉଛି।

ଏହା ମଧ୍ୟ କୁହାଯାଉଛି ଯେ, ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ଗୋପାଳପୁରରେ ସିଦ୍ଧାନ୍ତଙ୍କୁ ମଇଦାନରେ ଓହ୍ଲାଇବାକୁ ବିଜେଡି ଚିନ୍ତା କରୁଛି। ବ୍ରହ୍ମପୁରର ସାଂସଦ ଥିବା ବେଳେ ସିଦ୍ଧାନ୍ତଙ୍କ ଗୋପାଳପୁରରେ ଯଥେଷ୍ଟ ଦବଦବା ରହିଥିଲା। ଯାହାର ଫାଇଦା ପୁଣି ଥରେ ବିଜେଡି ନେବାକୁ ଅଣ୍ଟା ଭିଡିଛି। ବିଜେଡି ମୁଖିଆଙ୍କ ନିର୍ଦ୍ଦେଶରେ ସେ କାମ କରୁଥିବା କହିଛନ୍ତି ସିଦ୍ଧାନ୍ତ ମହାପାତ୍ର। ତାଙ୍କର ଏହି ପ୍ରତିକ୍ରିୟା ଗଞ୍ଜାମ ବିଜେଡି ରାଜନୀତିକୁ ପୁଣି ଥରେ ସରଗରମ କରିଛି। କାରଣ ୨୦୧୯ରେ ଟିକଟ୍ ମିଳିନଥିଲେ ବି ସେ ଦଳ ପ୍ରତି ବିଷୋଦଗାର କରିନଥିଲେ। କିମ୍ବା କୌଣସି ଦଳ ବିରୋଧୀ କାମ କରିନଥିଲେ। ବିଜେଡି ଏବଂ ଦଳ ମୁଖିଆ ଯାହା ଦାୟିତ୍ଵ ଦେବେ ସେ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ହେଲେ ତାଙ୍କର ରାଜନୀତିରେ ଅଚାନକ ସକ୍ରିୟ ହେବା, ବିଜେଡି ତାଙ୍କୁ କିଛି ବଡ ଦାୟିତ୍ଵ ଦେଇଥିବା ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି। ନଚେତ୍ ଦୀର୍ଘ ସମୟ ଧରି ନିରବ ରହିଥିବା ସିଦ୍ଧାନ୍ତ ଅଚାନକ ସକ୍ରିୟ ହେବେ କାହିଁକି ? ଏହା ପଛରେ ନିଶ୍ଚିତ ରୂପେ ବିଜେଡି ହାଇକମାଣ୍ଡଙ୍କ ସ୍ଵତନ୍ତ୍ର ରଣନୀତି ଥାଇପାରେ ବୋଲି କୁହାଯାଉଛି। ତେବେ ଏହା ଦେଖିବା ବାକି ରହିଲା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି କେଉଁ ଆସନରୁ ପ୍ରାର୍ଥୀ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ