Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମରଣ ଯନ୍ତା ପାଲଟିଛି ଲଛିପାଲି ଗାଁ ମୁଖ୍ୟ ରାସ୍ତା

ଝାରସୁଗୁଡା ୨୨/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମପଞ୍ଚାୟତ ଅନ୍ତ୍ରର୍ଗତ ଲଛିପାଲି ଗ୍ରାମର ମୁଖ୍ୟ ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣଯନ୍ତା । ଲଛିପାଲି ଗ୍ରାମବାସୀ ଦୀର୍ଘ ଦିନରୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।
ସୂଚନା ମତେ ଲଖନପୁର ବ୍ଲକ ଜାମଗାଁ ଗ୍ରାମପଞ୍ଚାୟତ ର ତିନିଗୋଟି ୱାର୍ଡକୁ ନେଇ ଗଠିତ ଲଛିପାଲି ଗ୍ରାମ । ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେବା ପରଠାରୁ ଏଠାରେ ବସବାସ କରି ଆସୁଛନ୍ତି । ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୬ ଶହରୁ ଅଧିକ ଏବଂ ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଲୋକ ହୀରାକୁଦ ଜଳଭଣ୍ଡାର ରେ ମାଛଧରି ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ବହୁତ ପରିତାପର ବିଷୟ ଯେ ୨୦୧୭/୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଲଛିପାଲି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଘୋଷଣା କରିଛନ୍ତି । ଆଦର୍ଶ ଗ୍ରାମ ହିସାବରେ ସରକାର ତରଫରୁ ଗାଁରେ ଯେଉଁ ସବୁ ଆନୁସାଙ୍ଗିକ ଉନ୍ନୟନ କାମ ହେବା କଥା ତାହା ଗ୍ରାମବାସୀଙ୍କ ପାଇଁ ସାତ ସ୍ୱପ୍ନ ପାଲଟିଛି । ମାତ୍ର ସମ୍ପୃକ୍ତ ବିଭାଗ ତରଫରୁ କିଛି ହାତ ଗଣତି କାମ କରି ପ୍ରଶାସନ ଚୁପ ବସିଛି । ଏହା ବ୍ୟତୀତ ଲଛିପାଲି ଗାଁରୁ ଭାୟା ଜାମଗାଁ ଦେଇ ଜାତୀୟ ରାଜପଥ ୪୯ କୁ ଆସିବା ନିମନ୍ତେ କେବଳ ଏହି ଏକମାତ୍ର ରାସ୍ତା ହିଁ ସାହା ଭରସା । ଯାହାକି ଅସରାଏ ବର୍ଷାରେ ଉକ୍ତ ରାସ୍ତାଟି ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଳଟିଥାଏ । ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍କୁଲ,କଲେଜକୁ ଯିବା ଆସିବା କରିଥାନ୍ତି । ହେଲେ ରାସ୍ତାରେ କାଦୁଅ ସାଙ୍ଗକୁ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହୁଥିବା ଯୋଗୁଁ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ଯାତାୟାତ ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ବିଶେଷ କରି ବର୍ଷା ଋତୁରେ ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲେ ଦୁଇ ଓ ଚାରି ଚାକିଆ ଯାନ କିମ୍ବା ୧୦୮ ଓ ୧୦୨ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଯିବା ସମ୍ଭବପର ହୋଇ ନ ଥାଏ । ଯାହା ଫଳରେ ସ୍ଥାନୀୟ ଲୋକେ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ତେଣୁ ଲଛିପାଲି ଗ୍ରାମର ମୁଖ୍ୟ କଚ୍ଚାରାସ୍ତାକୁ ପିଚୁରାସ୍ତା ନିର୍ମାଣ କରିବା ନିମନ୍ତେ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଫକୀର ପଧାନ, ଉପେନ୍ଦ୍ର ସା,ଫଡ଼ିନ୍ଦ୍ର ପଧାନ, ନରେନ୍ଦ୍ର ତିହିରିଆ, ଜ୍ୟୋତିରଞ୍ଜନ ବାଙ୍କଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଲଛିପାଲି ଆଦର୍ଶ ଗ୍ରାମର ମୁଖ୍ୟ ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିନଞ୍ଜନ ଘଡେ଼ଇ, ସ୍ଥାନୀୟ ବିଧ୍ୟାୟିକା ଅଳକା ମହାନ୍ତି,ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ଥିଲେ । ହେଲେ ଏଯାଏଁ କୌଣସି ସୁଫଳ ମିଳି ନ ଥିବା ଯୋଗୁଁ ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

More Stories