ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପରେ ଅନେକ ନେତାଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ସନ୍ଦୀପ ଦୀକ୍ଷିତଙ୍କ ପରି ନେତା କେଜରିୱାଲଙ୍କ ସମର୍ଥନରେ ରହିଥିବା ବେଳେ ଅଖିଳେଶ ଯାଦବଙ୍କ ପରି ନେତା ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ମଧ୍ୟରେ ଟୁଇଟରରେ ସତ୍ୟପାଲ ମଲିକ ଟ୍ରେଣ୍ଡ କରୁଛନ୍ତି । ସେ ଗତ ବର୍ଷ ଏକ ସାକ୍ଷାତକାରରେ କହିଥିଲେ ଯେ, ଅରବିନ୍ଦ କେଜରିୱାଲଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଗିରଫ କରାଯାଇପାରେ । ଆଉ ତାଙ୍କର ଏହି ଟିପ୍ପଣୀ ଆଜି ସତରେ ପରିଣତ ହୋଇଛି । ତାଙ୍କ ଏହି ଟିପ୍ପଣୀର କ୍ଲିପକୁ ସେୟାର କରି ଲୋକେ ମଲିକଙ୍କ ଭବିଷ୍ୟତବାଣୀ ସତ୍ୟ ସାବ୍ୟସ୍ତ ହୋଇଥିବା କହୁଛନ୍ତି ।
ଖୋଦ୍ ସତ୍ୟପାଲ ମଲିକ ମଧ୍ୟ ଏହି ବିଷୟରେ ଟୁଇଟ କରି କହିଛନ୍ତି ଯେ, ମୁଁ କହିଥିଲି କେଜରିୱାଲଙ୍କୁ ନିର୍ବାଚନ ପୂର୍ବରୁ ଗିରଫ କରାଯିବ । କେବଳ ଏତିକି ନୁହେଁ ପିଏମ ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସତ୍ୟପାଲ ମଲିକ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଗାଦିରେ ବସିଥିବା ଡରୁଆ ମଣିଷ ଯିଏ ଦେଶର ସରକାରୀ ଏଜେନ୍ସିର ଦୁରୁପଯୋଗ କରୁଛି । ଉଲ୍ଲେଖନୀୟ ସତ୍ୟପାଲ ମଲିକ ଗତ ଅନେକ ବର୍ଷ ଧରି ପିଏମ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରି ଆସୁଛନ୍ତି ।
ସତ୍ୟପାଲ ମଲିକ ଏକ୍ସରେ ଲେଖିଛନ୍ତି, ମୁଁ ଆଜିଠୁ ପ୍ରାୟ ୧୦ ମାସ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ ଯେ, ଏହି ମୋଦୀ ସରକାର ଅରବିନ୍ଦ କେଜରିୱାଲଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଗିରଫ କରିବ । ଗାଦିରେ ବସିଥିବା ଏକଛତ୍ରବାଦୀ ଶାସକ ଡରୁହା ମଣିଷ, ଯିଏ ସରକାରୀ ଏଜେନ୍ସିର ଦୁରୁପଯୋଗ କରୁଛି । ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରି ମୋଦୀ ସରକାର ଏହା ପ୍ରମାଣିତ କରି ଦେଇଛି ।