ଆକାଶ ସଫା ହୋଇ ଆସିଲାଣ, ସବୁ ସ୍ପଷ୍ଟ ହୋଇଯିବ; ମେଂଟ ଚର୍ଚ୍ଚାକୁ ନେଇ କହିଲେ ମନମୋହନ ସାମଲ


ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ରାଜ୍ୟରେ ବିଜେଡି ଓ ବିଜେପି ନିଜର ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ମେଂଟ ଚର୍ଚ୍ଚା ମଧ୍ୟରେ ଦୁଇ ଦଳ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି । ଗତ କିଛି ଦିନ ହେବ ନବୀନ ନିବାସରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ଆସନକୁ ନେଇ ଅଙ୍କକଷା ଚାଲିଛି । ସେପଟେ ବିଜେପି ମଧ୍ୟ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚାଲିଛି । ଏହା ମଧ୍ୟରେ ମେଂଟ ଚର୍ଚ୍ଚା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ଆକାଶ ସଫା ହୋଇ ଆସିଲାଣି ବୋଲି ସେ କହିଛନ୍ତି ।

ଶୁକ୍ରବାର ଗଣମାଧ୍ୟମଙ୍କୁ ମନମୋହନ ସାମଲ କହିଛନ୍ତି ଆକାଶ ସଫା ହୋଇ ଆସିଲାଣି । ଅମିତ୍ ଶାହ ସବୁ କିଛି କହି ସାରିଛନ୍ତି ଏବଂ ସବୁ କଥା ସ୍ପଷ୍ଟ ହୋଇ ସାରିଛି । ଧିରେ ଧିରେ ସବୁ ସ୍ପଷ୍ଟତା ଆସିବ । ଯେବେ ଚୂଡାନ୍ତ ହେବ ସେ ସଂପର୍କରେ ପ୍ରକାଶ କରାଯିବ । ଧୈର୍ଯ୍ୟ ଧରନ୍ତୁ, ଯାହାର ଧୈର୍ଯ୍ୟ ଅଛି ତାର ବିଜୟ ହେବ । ଦଳ ସବୁ ସମୟରେ ପ୍ରସ୍ତୁତ ଅଛି ।

ସେପଟେ ସୂତ୍ର ଅନୁଯାୟୀ, ଦିଲ୍ଳୀରେ ୪ ଦିନର ମାରାଥନ ବୈଠକ ପରେ ବିଜେପି ୧୬ ଲୋକସଭା ଓ ୧୧୫ ବିଧାନସଭା ଆସନା ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ସାରିଛି । କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିବା ପରେ ତାଲିକା ପ୍ରକାଶ ପାଇବ । ତେବେ ଆଉ ୫ଟି ଲୋକସଭାରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ବିଚାର ବିମର୍ଶ ଚାଲିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବୟାନ ମେଂଟ ଚର୍ଚ୍ଚାକୁ ଭିନ୍ନ ମୋଡ ଦେଇଥିଲା । ପାଣ୍ଡିଆନ ନିକଟରେ ଏକ ଗଣମାଧ୍ୟମ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କହିଥିଲେ ଯେ, କେନ୍ଦ୍ରରେ ସରକାର ଗଢିବା ପାଇଁ ଏବଂ ରାଜ୍ୟରେ ସରକାର ଗଢିବା ପାଇଁ ବିଜେପି ଓ ବିଜେଡି ପରସ୍ପରର ସାହାଯ୍ୟ ଦରକାର ନାହିଁ । କିନ୍ତୁ ମହାନ ଉଦ୍ଦେଶ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଂଟ କରି ପାରନ୍ତି ।