ଭୁବନେଶ୍ୱର: ଆଜି ରାଜ୍ୟ ରାଜନୀତିରେ ଦୁଇଟି ବଡ ଘଟଣା ଘଟିଛି । ଗୋଟିଏ ପଟେ ବିଜେପି ଏକା ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିବା ବେଳେ ଅନ୍ୟପଟେ ବିଜେଡିକୁ ଲାଗିଛି ବଡ ଝଟକା । ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା କଟକର ସାଂସଦ ଭର୍ତୃହରି ମହତାବ । ଶୁକ୍ରବାର ପ୍ରେସମିଟରେ ଇସ୍ତଫା ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । । ବିଜେଡି ଛାଡିବା ପରେ ଭର୍ତ୍ତୃହରିଙ୍କ ବିଜେପିରେ ମିଶିବା ଚର୍ଚ୍ଚା ଜୋର ଧରିଛି ।
ଏଥରକୁ ମିଶାଇ କଟକରୁ ମୋଟ୍ ୬ ଥର ସାଂସଦ ରହିଛନ୍ତି ଭର୍ତ୍ତୃହରି । କେବଳ ସେ ଇସ୍ତଫା ଦେଇ ନାହାନ୍ତି ତାର କାରଣ ମଧ୍ୟ ଖୋଲି କି କହିଛନ୍ତି କଟକ ସାଂସଦ । ଧୈର୍ଯ୍ୟର ଗୋଟିଏ ସୀମା ଥାଏ । ଧୈର୍ଯ୍ୟ ସୀମା ଏବେ ଟପି ଯାଇଛି । ଦୁର୍ନୀତି, ବ୍ୟକ୍ତିଗତ ସଂପତି ଆହରଣ ବିରୋଧରେ ଲଢିବାକୁ ବିଜେଡିର ସୃଷ୍ଟି ହୋଇଥିଲା । କିନ୍ତୁ ଦଳ ତାହା ନାହିଁ । ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଛି । ବହୁତ ସହିଛି । ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତି ନେଇଛି । ନିଷ୍ପତି କଠୋର ହୋଇପାରେ, କିନ୍ତୁ ଆଜି ମୋତେ ଆଜି ହାଲୁକା ଲାଗୁଛି । ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହୋଇଛି । ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ ।

ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ସରକାରରେ ଯାହା ଯାହା ତ୍ରୁଟି ସେ ସବୁ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଶ୍ନର ଉତରରେ ଭର୍ତ୍ତୃହରି କହିଛନ୍ତି ଏ ନେଇ ଡାଏରୀ ଖୋଲିବାକୁ ପଡିବ । ଦଳ ତିଆରି ବେଳେ ଏକ କଲେକ୍ଟିଭ ରେସପନସିବିଲିଟି ଥିଲା । ତାହା ଆମେ ଅନେକ ଦିନରୁ ହଜାଇ ଦେଲୁଣି ବୋଲି ଭର୍ତ୍ତୃହରି କହିଛନ୍ତି । ବିଜେଡି-ବିଜେପି ସମ୍ଭାବ୍ୟ ମେଂଟକୁ ଅନ ଏଥିକାଲ ବୋଲି ଭର୍ତ୍ତୃହରି କହିଛନ୍ତି । ରାଜ୍ୟରେ ଏକ ଅନ ଏଥିକାଲ ବା ଅନୈତିକ ମେଂଟ ହେବାକୁ ଯାଉଥିଲା । ମେଂଟ ହେଲା ନାହିଁ ଏହା ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି ।
ବିଜେପିରୁ ଲଢି ପାରନ୍ତି ନିର୍ବାଚନ
ସୂଚନାଯୋଗ୍ୟ, ୧୯୯୮ରୁ ଭର୍ତ୍ତୃହରି କ୍ରମାଗତ ଷଷ୍ଠ ଥର କଟକ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତି ଆସିଛନ୍ତି । ତେବେ ବିଜେପିରେ ଯୋଗ ଦେଇ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ପୁଣି ଥରେ କଟକ ଆସନରୁ ନିର୍ବାଚନ ଲଢି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଅମୂଳକ ମଧ୍ୟ ନୁହେଁ । କାରଣ ବିଜେପି ପାଖାପାଖି ୧୬ଟି ଆସନରେ ପ୍ରାର୍ଥୀ ଚୂଡାନ୍ତ କରି ସାରିଛି । କିନ୍ତୁ କଟକରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନାହିଁ । ବୋଧହୁଏ ଏହି ଆସନରୁ ଭର୍ତ୍ତୃହରିଙ୍କୁ ଦଳରେ ମିଶିବା ପରେ ପ୍ରାର୍ଥୀ କରିପାରେ ବିଜେପି ।
ବିଗତ ଦିନ ମାନଙ୍କରେ କଟକ ସାଂସଦଙ୍କୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା । ଏକ ପ୍ରକାର ସେ ଦଳଠୁ ଦୂରେଇ ରହିଥିଲେ । କିନ୍ତୁ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନେକ ଥର ଗୁଣଗାନ କରିଛନ୍ତ। ରାଜ୍ୟର ଅନେକ କାର୍ଯ୍ୟକ୍ରମରେ ଗୋଟିଏ ମଂଚରେ ଭର୍ତ୍ତୃହରିଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଖିବାକୁ ମିଳିଛି । ବିଭିନ୍ନ ମଂଚରେ ସେ ବିଜେପିର ପ୍ରଶଂସା କରିଛନ୍ତି । ସେ ବିଜେପି ଆଡକୁ ଢଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେଖିବାକୁ ବାକି ରହିଲା ଭର୍ତ୍ତୃହରି ବିଜେପିରେ ଯୋଗ ଦେଉଛନ୍ତି କି ନାହିଁ ।