ଭୁବନେଶ୍ୱର: ଗତକାଲି ମେଂଟ ହେଉ ନ ଥିବା ଘୋଷଣା କରିବା ପରେ ଆଜି ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରେ ବିଜେପିର ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଛି । ସେଥିପାଇଁ ମନମୋହନ ସଂଗଠନ ସଂପାଦକ ମାନସ ମହାନ୍ତିଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଫଳରେ ଆଜି ଓଡିଶାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ବଢି ଯାଇଛି ।
କେନ୍ଦ୍ରୀୟ ବିଜେପି ଲୋକସଭା ନିର୍ବାଚନ ପାଇଁ ଓଡିଶାକୁ ବାଦ୍ ଦେଲେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ କିଛିଟା ପ୍ରାର୍ଥୀ ଘୋଷଣା କରି ସାରିଛି । କିନ୍ତୁ ଓଡିଶାର ୨୧ ଲୋକସଭାରୁ ଗୋଟିଏ ହେଲେ ତାଲିକାରେ ପ୍ରକାଶ ପାଇନି । ତେଣୁ ଆଜି ଦିଲ୍ଲୀର ନିର୍ବାଚନୀ କମିଟି ବୈଠକ ପରେ ଓଡିଶାର ପ୍ରାର୍ଥୀ ତାଲିକା ଆସିପାରେ । ଆପାତଃ ୨୧ ଲୋକସଭାରୁ ୧୬ଟି ଆସନରେ ଦଳ ପ୍ରାର୍ଥୀ ଚୂଡାନ୍ତ କରି ସାରିଥିବା କୁହାଯାଉଛି । ଖାଲି ଏହା ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ମୋହର ବାଜିବା ବାକି ରହିଛି ।
ଏହା ପୂର୍ବ ଦିଲ୍ଲୀଗ ଗସ୍ତ ବେଳେ ମନମୋହନ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତ ସମ୍ଭାବ୍ୟ ତାଲିକା ଧରି ଦିଲ୍ଲୀ ଯାଇଥିଲେ । ତାଲିକାକୁ ସେ କେନ୍ଦ୍ରୀୟ ନେତୃବୃନ୍ଦକୁ ଦେଇଥିଲେ । ଏହା ଉପରେ ଆଲୋଚନା ମଧ୍ୟ ହୋଇ ସାରିଛି । ବାସ୍ ମୋହର ବାଜିବା ବାକି ରହିଛି । ସୂଚନାଯୋଗ୍ୟ, ନିର୍ବାଚନ ପ୍ରସ୍ତୁତି ନେଇ ମନମୋହନ ସାମଲଙ୍କୁ ବାରମ୍ବାର ଦିଲ୍ଲୀ ଦୌଡିବାକୁ ପଡୁଛି ।
ଗତକାଲି ମନମୋହନ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲଲ ରାଜ୍ୟ ବିଜେପି ସଭାପତି । ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢିବ ବୋଲି କହିଥିଲେ । ତାଙ୍କର ଏହି ଘୋଷଣା ପରେ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।