ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ


ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ଲଖନପୁର ବ୍ଲକ ଅଞ୍ଚଳରେ ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧି ଉଲଂଘନ କରା ଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ମତେ ରାଜ୍ୟ ନିର୍ମାଣ ବିଭାଗ ଅଧିନସ୍ଥ ରାସ୍ତା ଓ କୋଠାବାଡି ବିଭାଜନ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଏନଏଚ ୪୯ ମହାସିଂ ଛକରୁ ମଚିଦା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେନାମାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରା ଯାଇଛି । ମାତ୍ର ଉକ୍ତ ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ମହାସିଂ ଛକର ଅନତି ଦୂରରେ ଅବସ୍ଥିତ ଶନିଦେଵଙ୍କ ମନ୍ଦିର ନିକଟରେ ସମ୍ପୃକ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଏକ ସରକାରୀ ବିଜ୍ଞାପନ ହୋଡିଂ ଲଗା ଯାଇଛି । ସେହିପରି ଭିକମପାଲି ଡିଏମଏଫ ରିସର୍ଚ୍ଚ ସେଣ୍ଟର ଛକରୁ ଛୁଇପାଲି ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାରେ ମଧ୍ୟ ଅନୁରୂପ ହୋଡିଂ ଲାଗିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସାରା ରାଜ୍ୟରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରଠାରୁ ଯାହା ସାଧାରଣ ଭୋଟର ମାନଙ୍କୁ ପ୍ରଭାବିତ କରିବା ଭଳି କୌଣସି ପ୍ରକାର ସରକାରୀ ବିଜ୍ଞାପନ ହୋଡିଂ ଲାଗି ପାରିବ ନାହିଁ । ଯଦି ପୂର୍ବରୁ ଏଭଳି ହୋଡିଂ କୌଣସି ସ୍ଥାନରେ ଲଗା ଯାଇଛି ସେଗୁଡ଼ିକୁ କାଢ଼ି ଦେବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନାମା କୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରି ରାସ୍ତା ମାନଙ୍କ ରେ ଲଗା ଯାଇଥିବା ସରକାରୀ ବିଜ୍ଞାପନ ହୋଡିଂ ଉପରେ କୌଣସି ପ୍ରକାର ଗୁରୁତ୍ୱ ନ ଦେଇ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ତେଣୁ ଯଥାଶୀଘ୍ର ଜିଲ୍ଲା ନିର୍ବାଚନ ଅଧିକାରୀ ଏଥିପ୍ରତି ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।