କଟକ ଲୋକସଭା ସିଟରେ ଭର୍ତୃହରି ବନାମ ସନ୍ତୃପ୍ତ ଲଢେଇ ହେବ କି ?


କଟକ: କଟକର ଛଅ ଥରର ସାଂସଦ ଭର୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ସଂସଦୀୟ କ୍ଷେତ୍ରର ରାଜନୀତି ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତନ ଆସିଛି। ବିଜେଡିର ଗଡ ଭାବେ ରହି ଆସିଥିବା ଏହି ଆସନରୁ ଭର୍ତୃହରି ୧୯୯୮ରୁ ଏ ପର୍ଯ୍ୟନ୍ତ ସାଂସଦ ରହିଛନ୍ତି । ହେଲେ ୨୦୧୪ ନିର୍ବାଚନରେ ପ୍ରଥମ ଥର ବିଜେଡିକୁ ପ୍ରାର୍ଥୀ ବଦଳାଇବାକୁ ପଡିପାରେ । କଟକ ଲୋକସଭା ସିଟ୍ ବର୍ତମାନ ବିଜେପି ଓ ବିଜେଡି ପାଇଁ ସମ୍ମାନର ବିଷୟ ପାଲଟିଛି । ଭର୍ତୃହରି ଦଳ ଛାଡିବା ପରେ ଏଥର ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଲାଗି ରହିଛି ।

ଗତକାଲି ନବୀନ ନିବାସରେ କଟକ ସଂସଦୀୟ କ୍ଷେତ୍ରକୁ ନେଇ ସମୀକ୍ଷା ବୈଠକ ବସିଥିଲା । ଏଥର ପ୍ରଥମ ଥର ଦଳ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିପାରେ। ସେପଟେ ବିଜେପିରୁ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ବିଜେଡି ଛାଡିଥିବା ଭର୍ତୃହରି ବିଜେପିରେ ମିଶିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିପାରେ । କିନ୍ତୁ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି ଭର୍ତୃହରି । ସେପଟେ କଂଗ୍ରେସକୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ସସପେନ୍ସ ଲାଗି ରହିଛି ।

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କଟକ ଲୋକସଭା ସିଟ ବିଜେଡିର ଗଡ ରହି ଆସିଛି । ଏହି ଆସନରୁ ଜିତିବା ପାଇଁ ଭର୍ତୃହରିଙ୍କୁ ସେତେଟା ପରିଶ୍ରମ କରିବାକୁ ପଡିନାହିଁ । ଏହି ଆସନରୁ ବିଜେଡି ଗତ କିଛି ଦିନ ପୂର୍ବେ ବିଜେଡିରେ ମିଶିଥିବା କର୍ପୋରେଟ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । କଟକ ସହରରେ ମଧ୍ୟ ସନ୍ତୃପ୍ତଙ୍କ ଭଲ ପରିଚୟ ରହିଛି । କଟକର ଗ୍ରାମାଚଂଳରୁ ଯେଉଁ ସବୁ ଭୋଟ୍ ଭର୍ତୃହରିଙ୍କୁ ମିଳୁଥିଲା ସେହି ଭୋଟ୍ ମଧ୍ୟ ବିଜେଡିର ନୂତନ ପ୍ରାର୍ଥୀଙ୍କୁ ମିଳିପାରେ । କଟକ ଲୋକସଭା କ୍ଷେତ୍ରରେ ଖଣ୍ଡପଡା, ବଡମ୍ବା, ଆଠଗଡ, ବାଙ୍କି, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର ନିର୍ବାଚନ ମଣ୍ଡଳୀ ରହିଛି ।

ଏବେ ସଭିଙ୍କ ନଜର ଭର୍ତୃହରି ମହତାଙ୍କ ପରବର୍ତୀ ପଦକ୍ଷେପ ଉପରେ । ସେ ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚା ଲାଗି ରହିଥିଲେ ହେଁ ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ । ଯଦି ସେ ବିଜେପିରେ ମିଶନ୍ତି ତେବେ ଲୋକସଭା ନିର୍ବାଚନ ଲଢିବେ କି ନାହିଁ ତାହା ମଧ୍ୟ ଦ୍ୱନ୍ଦ୍ୱରେ । ଗତକାଲି କଟକ ବିଜେପିର ବରିଷ୍ଠ ନେତୃବୃନ୍ଦ ଭର୍ତୃହରିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଯଦି ଭର୍ତୃହରି ବିଜେପିରେ ମିଶନ୍ତି ଏବଂ କଟକ ଲୋକସଭାରୁ ପ୍ରାର୍ଥୀ ହୁଅନ୍ତି ତେବେ ଏମିତି ସ୍ଥିତିରେ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । ଏବେ ଦେଖିବା ବାକି ରହିଲା ଐତିହାସିକ କଟକ ସଂସଦୀୟ କ୍ଷେତ୍ରକୁ ନେଇ ବିଜେପି ଓ ବିଜେଡି କେଉଁ ରଣନୀତି ସହ ଆଗକୁ ବଢୁଛନ୍ତି ।