ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତକାଲି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶା ପାଇଁ ୨୧ ଲୋକସଭା ଆସନରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ଛଅ ଜଣ ନୂଆଁ ମୁହଁ ଥିବା ବେଳେ ୧୨ଟି ଆସନରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ୪ ଜଣ ସାଂସଦ ଟିକେଟ୍ କଟିଛି । ଆଉ ୩ଟି ଲୋକସଭା ସିଟ୍ କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘେଷଣା ବାକି ରହିଛି । ୨୦୦୪ ପରେ ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳ ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ବଡ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭାରୁ ଟିକେଟ୍ ମିଳିଛି । ସମ୍ବଲପୁରରୁ ସାଂସଦ ନୀତେଶ ଗଙ୍ଗଦେବ, ମୟୂରଭଞ୍ଜର ସାଂସଦ ବିଶ୍ୱେଶ୍ୱର ଟୁଡୁ, ବରଗଡର ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡିର ସାଂସଦ ବସନ୍ତା ପଣ୍ଡାଙ୍କ ଟିକେଟ୍ କାଟିଛି ଦଳ ।
ସବୁଠୁ ଅଧିକ ଚର୍ଚ୍ଚା ଧର୍ମେନ୍ଦ୍ରଙ୍କ ସମ୍ବଲପୁର ସିଟରୁ ଲଢିବା ନେଇ ଜାରି ରହିଥିଲା । ଓଡିଶା ରାଜନୀତିର ଆଗ ଧାଡିର ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ବର୍ଷ ପରେ ପୁଣି ଥରେ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାସୀନ ହେବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ଦରବାରରେ ଦବଦବା ରହିଥିଲା । ସେ ଓଡିଶା ବିଜେପିର ଚେହେରା ପାଲଟିଥିଲେ । ଦୁଇ ଥର ରାଜ୍ୟସଭାରୁ ମନୋନୀତ ହେବା ପରେ ଏଥର ସମ୍ବଲପୁର ଲୋକସଭା ସିଟରେ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଏଠାରୁ ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ଟିକେଟ୍ କାଟିଛି ଦଳ ।
ଗଞ୍ଜାମ ଜିଲ୍ଲାର ବଡ ଚେହେରା ତଥା ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ କରାଯିବ ବୋଲି ଅନୁମାନ କରାଯାଉଥିଲା । ଆଉ ଦଳ ତାଙ୍କୁ ଦକ୍ଷିଣ ଓଡିଶାର ଏହି ଚର୍ଚ୍ଚିତ ଆସନରୁ ପ୍ରାର୍ଥୀ କରିଛି । ଦିନ ଥିଲା ବିଜେଡି ପାଇଁ ବଡ ଚେହେରା ଥିବା ପ୍ରଦୀପ ସଂପ୍ରତି ଗଞ୍ଜାମ ଜିଲ୍ଲାରେ ବିଜେପି ପାଇଁ ପୋଷ୍ଟର ବୟ ସାଜିଛନ୍ତି । ସେହିପରି ପୁରୀ ଲୋକସଭାରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ସମ୍ବିତ ଗତ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦ୍ୱିତାରେ ବହୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ହେଁ ନିଜର ଲୋକପ୍ରିୟତାକୁ ସାବ୍ୟସ୍ତ କରିଥିଲେ । ଏଥର ପୁଣି ଥରେ ସେ ଜଗନ୍ନାଥ ଧାମରୁ ପ୍ରାର୍ଥୀ ହୋଇଛନ୍ତି ।
ଆଶା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀଙ୍କୁ ଦଳ ଟିକେଟ୍ ଦେଇଛି । ଭୁବନେଶ୍ୱର ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ବିଷୟ ପାଲଟିଛି । ଆଉ ଏହି ଆସନକୁ ବଜାୟ ରଖିବା ପାଇଁ ଅପରାଜିତ ଷଡଙ୍ଗୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଦଳ । ଏହି ପୂର୍ବତନ ପ୍ରଶାସନିକ ଅଧିକାରୀ ୨୦୧୯ ଲୋକସଭା ନିର୍ବାଚନ ଜିତି ନିଜକୁ ମଧ୍ୟ ପ୍ରମାଣିତ କରିଛନ୍ତି ।
ଗତ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା କେନ୍ଦ୍ରାପଡା ଲୋକସଭା ସିଟରୁ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୧୯ରେ ଅନୁଭବଙ୍କୁ ଅପ୍ରତ୍ୟାଶିତ ପରାଜିତ ହୋଇଥିଲେ ବୈଜୟନ୍ତ । କିନ୍ତୁ ରାଜ୍ୟଠୁ ନେଇ ଜାତୀୟ ସ୍ତର ରାଜନୀତିରେ ବୈଜୟନ୍ତ ଜଣେ ଟାଣୁଆ ନେତା । କେନ୍ଦ୍ରାପଡାରେ ତାଙ୍କର ଭୋଟ୍ ବ୍ୟାଙ୍କ ରହିବା ସହ ଜନାଧାର ମଧ୍ୟ ରହିଛି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପୁଣି ଥରେ ବାଲେଶ୍ୱର ଲୋକସଭାରୁ ପ୍ରାର୍ଥୀ କରାଯାଇଛି । ପ୍ରତାପ ଷଡଙ୍ଗୀ ବିଜେପିର ଜଣେ ଚର୍ଚ୍ଚିତ ଚେହେରା । ସାଦାସିଦା ଜୀବନ ଶୈଳୀ ପାଇଁ ପରିଚିତ ପ୍ରତାପଙ୍କୁ ପୁଣି ଥରେ ଦଳ ଭରସା କରି ବାଲେଶ୍ୱରରୁ ପ୍ରାର୍ଥୀ କରିଛି ।
ପ୍ରଦୀପ ପୁରୋହିତ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଓ ପଶ୍ଚିମ ଓଡିଶାର ଟାଣୁଆ ଲୋକପ୍ରିୟ ନେତା । ଗତ ପଦ୍ମପୁର ଉପନିର୍ବାଚନରେ ପରାଜିତ ହୋଇଥିଲେ ହେଁ ତାଙ୍କର ଜନାଧାର ବେଶ ମଜବୁତ ରହିଛି । ବରଗଡ ଜିଲ୍ଲାରେ ତାଙ୍କର ପତିଆରାକୁ ଦୃଷ୍ଟିରେ ରଖି ଦଳ ବରଗଡ ସଂସଦୀୟ କ୍ଷେତ୍ରରୁ ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି । ସୁରେଶ ପୂଜାରୀଙ୍କ ଜନାଧାର କମୁଥିବା ଏବଂ ଦଳୀୟ କର୍ମୀଙ୍କ ଅସନ୍ତୋଷ ଯୋଗୁଁ ଟିକେଟ୍ କଟିଥିବା କୁହାଯାଉଛି ।
ସୁନ୍ଦରଗଡ ଲୋକସଭା ଆସନ ବିଜେପିର ଗଡ ଭାବେ ପରିଚିତ । ଜୁଏଲ ଓରାମ ଏଠାରୁ ପାଂଚ ଥର ନିର୍ବାଜନ ଜିତି ନିଜକୁ ପ୍ରମାଣିତ କରି ସାରିଛନ୍ତି । ସେ ଜାତୀୟସ୍ତର ଜଣେ ବଡ ଅନୁଭବୀ ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେ ହିଁ ରାଜ୍ୟ ବିଜେପିର ଏକ ମାତ୍ର ନେତା ଯିଏ ସର୍ବାଧିକ ଥର ଲୋକସଭା ନିର୍ବାଚନ ଜିତିଛନ୍ତି । ଆଉ ଏଥର ମଧ୍ୟ ଆଶାନୁଯାୟୀ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ନିର୍ବାଚନ ଜିତି ସାରିଛନ୍ତି ଜୁଏଲ ।
କେନ୍ଦୁଝର ରାଜନୀତିରେ ଅନନ୍ତ ନାଏକ ବିଜେପିର ସବୁଠୁ ବଡ ଚେହେରା । ୩୦ ବର୍ଷ ବୟସରେ କେନ୍ଦୁଝର ଲୋକସଭା ସିଟରୁ ନିର୍ବାଚନ ଜିତି କନିଷ୍ଠ ସାଂସଦ ହୋଇଥିଲେ ଅନନ୍ତ ନାଏକ । ପୁଣି ୨୦୦୪ରେ ନିର୍ବାଚନ ଜିତିଥିଲେ । ସେ ଦୁଇ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦ୍ୱିତାରେ ହାରିଥିବା ଅନନ୍ତ ନାଏକଙ୍କୁ ଦଳ ଏଥର ପୁନଃ ଭରସା କରି ୨୦୨୪ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ କରିଛି ।
ମୟୂରଭଞ୍ଜରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଜୀଙ୍କୁ ଦଳ ଚୟନ କରିଛି । ବିଶ୍ୱେଶ୍ୱରଙ୍କ ଟିକେଟ୍ କାହିଁକି କଟା ଗଲା ତାହା ଜଣା ପଡିନାହିଁ । କିନ୍ତୁ ମୟୂରଭଞ୍ଜ ରାଜନୀତିରେ ନବ ଚରଣ ମାଝୀ ବଡ ଚେହେରା ଭାବେ ଆଗକୁ ଆସିଛନ୍ତି । ନିଜ ଅଂଚଳରେ ସେ ଜଣେ ଲୋକପ୍ରିୟ ନେତା ରହିବା ସହ ଜନାଧାର ରହିଛି । ଏହି କାରଣରୁ ତାଙ୍କୁ ଦଳ ପ୍ରାର୍ଥୀ କରିଛି ବୋଲି କୁହାଯାଉଛି ।
ଲୋକସଭା ଆସନ
ବରଗଡ-ପ୍ରଦୀପ ପୁରୋହିତ
ସୁନ୍ଦରଗଡ଼-ଜୁଏଲ ଓରାମ
ସମ୍ୱଲପୁର-ଧର୍ମେନ୍ଦ୍ର ପ୍ରଧାନ
କେନ୍ଦୁଝର-ଅନନ୍ତ ନାୟକ
ମୟୂରଭଞ୍ଜ-ନବ ଚରଣ ମାଝୀ
ବାଲେଶ୍ୱର-ପ୍ରତାପ ଷଡଙ୍ଗୀ
ଭଦ୍ରକ-ଅଭିମନ୍ୟୁ ସେଠୀ
ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି
ବଲାଙ୍ଗୀର-ସଙ୍ଗୀତା କୁମାରୀ ସିଂ ଦେଓ
କଳାହାଣ୍ଡି-ମାଲଭିକା କେଶରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା
ଜଗତସିଂହପୁର-ବିଭୂ ପ୍ରସାଦ ତରାଇ
ପୁରୀ-ସମ୍ୱିତ୍ ପାତ୍ର
ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ
ଆସିକା-ଅନିତା ଶୁଭଦର୍ଶିନୀ
ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ
କୋରାପୁଟ-କାଳୀରାମ ମାଝୀ