ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତକାଲି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶା ପାଇଁ ୨୧ ଲୋକସଭା ଆସନରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା ପରେ ବିଜେପିରେ କନ୍ଦଳ ଦେଖା ଦେଇଛି । ଏଥର ଛଅ ଜଣ ନୂଆଁ ମୁହଁ ଥିବା ବେଳେ ୧୨ଟି ଆସନରେ ଦଳ ପ୍ରାର୍ଥୀଙ୍କୁ ରିପିଟ୍ କରିଛି । ୪ ଜଣ ସାଂସଦ ଟିକେଟ୍ କଟିଛି । ଗତଥର ପରାଜିତ ୮ ପ୍ରାର୍ଥୀଙ୍କ ଉପରେ ଦଳ ପୁନର୍ବାର ଭରସା ପ୍ରକଟ କରିଛି । ତେବେ ବରିଷ୍ଠ ନେତା ଐରଖାରଳେଳ ସ୍ୱାଇଁଙ୍କୁ ବିଜେପି ଟିକେଟ୍ ଦେଇନି । ତେଣୁ ଅସନ୍ତୁଷ୍ଟ ଖାରବେଳ ୨୦୨୪ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢିବେ ବୋଲି ରୋକ୍ ଠୋକ୍ କହିଛନ୍ତି ।
ଆଜି ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରି ଖାରବେଳ କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ବାଲେଶ୍ୱରରୁ ନିର୍ବାଚନ ଲଢିବେ । ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଟିକେଟ୍ ମିଳିବା ପରେ ଏମିତି ଘୋଷଣା କରିଛନ୍ତି ଖାରବେଳ ସ୍ୱାଇଁ । ସେ କହିଛନ୍ତି ସ୍ୱାଧୀନ ଭାବେ ନିର୍ବାଚନ ଲଢିବି ଏବଂ ଜିତିଲେ ବିଜେପିରେ ଯୋଗ ଦେବି । ଗତଥର କନ୍ଧମାଳରୁ ମୋତେ ଶେଷ ମୁହୂର୍ତରେ ପ୍ରାର୍ଥୀ କରାଇଥିଲେ ଏବଂ ମୁଁ ଲଢିଥିଲି । ଏଥର କିନ୍ତୁ ବାଲେଶ୍ୱରରୁ ଲଢିବି ବୋଲି କହିଥିଲି । ପାର୍ଟି ଟିକେଟ୍ ଦେଲାନି । କନ୍ଧମାଳରୁ ପ୍ରାର୍ଥୀ କଲେ ମୁଁ ଯିବିନି । ମୁଁ ଏଥର ବାଲେଶ୍ୱରରୁ ହିଁ ନିର୍ବାଚନ ଲଢିବି ।
ଖାରବେଳ ଏହା ମଧ୍ୟ କହିଛନ୍ତି ଯେ, ସେ ବିଜେପି ଛାଡିବେ ନାହିଁ । ଯଦି ଦଳ ତାଙ୍କୁ ବହିଷ୍କାର କରିବ ହେଲେ କରନ୍ତୁ । କିଛି କୁଚକ୍ରୀ ଗୋଷ୍ଠୀ ପାଇଁ ବାଲେଶ୍ୱରରୁ ଟିକେଟ୍ କଟିଛି । ମନମୋହନ ସାମଲ ଓ ଧର୍ମେନ୍ଦ୍ର ପ୍ରଧାନ ମୋ ନାଁ ପଠାଇଥିବାରୁ ସେମାନଙ୍କୁ ଧନ୍ୟବାଦ । ଏଥର ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ୧୪ଶ ଲୋକସଭା ନିର୍ବାଚନରେ ଖାରବେଳ ବାଲେଶ୍ୱରରୁ ନିର୍ବାଚନ ଜିତିଥିଲେ ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଶେଷ ମୁହୂର୍ତରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁକୁ ବିଜେପି କନ୍ଧମାଳ ଲୋକସଭାରୁ ଟିକେଟ୍ ଦେଇଥିଲା । ନିକଟରେ ସେ କହିଥିଲେ, ଯେଉଁ ଅଂଚଳର ଲୋକଙ୍କ ସହ ମୋର କୌଣସି ପରିଚୟ ନାହିଁ କି ସେମାନେ ମୋତେ ଚିହ୍ନି ନାହାନ୍ତି, ସେହି ସିଟରୁ ମୋତେ ପ୍ରାର୍ଥୀ କରାଗଲା । ଆଗରୁ ଜଣାଇ ଦେଇଥିଲେ ମୁଁ କିଛି ପ୍ରସ୍ତୁତି କରିଥାନ୍ତି । ଶେଷ ମୁହୂର୍ତରେ ପ୍ରାର୍ଥୀ କରାଯିବାରୁ ପ୍ରଚାର ମଧ୍ୟ ଠିକରେ କରି ପାରି ନ ଥିଲି । ତେଣୁ ପରାଜୟ ସାର ବୋଲି ଖାରବେଳ କହିଥିଲେ । ଯେଉଁଠି ନିଜର ପରିଚୟ ନାହିଁ ସେଠାରେ ନିର୍ବାଚନ ଲଢିଲେ କି ଲାଭ । ତେଣୁ ଏଥର ବାଲେଶ୍ୱରରୁ ଲୋକସଭା ନିର୍ବାଚନ ଲଢିବି ବୋଲି କହିଥିଲେ ଖାରବେଳ ସ୍ୱାଇଁ । ଏବେ ଦେଖିବା ବାକି ରହିଲା ଦଳ ଏବଂ ତାଙ୍କର ପରବର୍ତୀ ପଦକ୍ଷେପ କଣ ହେଉଛି ।