କଟକ ବିଜେପିରୁ କିଏ ହେବେ ପ୍ରାର୍ଥୀ ? ଭର୍ତୃହରି ନା ଅନୁଭବ


ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗତକାଲି ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଏଥିରେ ଓଡିଶା ପାଇଁ ୨୧ ଲୋକସଭା ଆସନରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ୩ଟି ଆସନ କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ଏହି ତିନୋଟି ସିଟରୁ କଟକ ବହୁତ ଗୁରୁତ୍ୱବହନ କରୁଛି । ଭର୍ତୃହରି ମହତାବ ବିଜେଡି ଛାଡିବା ପରେ କଟକ ଲୋକସଭା ସିଟରେ ନିର୍ବାଚନ ଆହୁରି ରୋଚକ ହୋଇ ଯାଇଛି । ବିଜେପି ଓ ବିଜେଡିରୁ ଏହି ଐତିହାସିକ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ କିଏ ହେବ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ତେବେ ଭର୍ତୃହରି ବିଜେପିରେ ଯୋଗ ଦେଲେ ସେ ପୁଣି ଥରେ କଟକରୁ ଲଢିବା ନେଇ ନିଶ୍ଚିତ ବୋଲି କୁହାଯାଉଛି ।

କଟକରୁ ଛଅ ଥରର ସାଂସଦ ଭର୍ତୃହରି ମହତାବ ବିଜେଡି ଛାଡିଥିଲେ ହେଁ ବିଜେପିରେ ମିଶିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତାଙ୍କୁ ଶନିବାର କଟକ ବିଜେପିର ବରିଷ୍ଠ ନେତୃବୃନ୍ଦ ତାଙ୍କ ବାସଭବନରେ ଭେଟିଥିଲେ । ତେବେ ବିଜେପିରେ ମିଶିବା ନେଇ କୌଣସି ସ୍ପଷ୍ଟ ଚିତ୍ର ଏ ଯାଏ ସାମ୍ନାକୁ ଆସି ପାରିନି । ବୋଧହୁଏ ସେଥିପାଇଁ କେନ୍ଦ୍ରୀୟ ବିଜେପି କଟକ ସିଟରୁ ପ୍ରାର୍ଥୀ ଘୋଷଣା କରିନାହିଁ । ଯଦି ଭର୍ତୃହରି ଦଳରେ ସାମିଲ ହୁଅନ୍ତି ତେବେ ତାଙ୍କୁ କଟକରୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ନଚେତ୍ ଦଳ ଅନ୍ୟ ପ୍ରାର୍ଥୀ ଖୋଜିବ । ଅନ୍ୟପଟେ କେନ୍ଦ୍ରାପଡାରୁ ଏଥର ସାଂସଦ ଅନୁଭବ ମହାନ୍ତିଙ୍କ ଟିକେଟ କରିବା ଥୟ । ବିଜେଡି ୨୦୨୪ ନିର୍ବାଚନରେ ତାଙ୍କୁ ଆଉ ଭରସା କରି ପାରୁନି । ୨୦୧୯ରେ ବୈଜୟନ୍ତ ପଣ୍ଡାଙ୍କ ପରି ରାଜନେତାଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ହରାଇଥିବା ଅନୁଭବ ପରବର୍ତୀ ସମୟରେ ଘରୋଇ କଳହ ଏବଂ ବ୍ୟକ୍ତିଗତ ବିବାଦ କାରଣରୁ ଦଳ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ତାଙ୍କ ପାଇଁ ଦଳର ଛବି ମଧ୍ୟ ମଳିନ ପଡିଥିଲା । ଫଳରେ ଦଳ ତାଙ୍କୁ ଟିକେଟ ଦେବା ମୋଡରେ ନାହିଁ । ତେଣୁ ଅନୁଭବ ବିଜେଡି ଛାଡି ବିଜେପି କିମ୍ବା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି ।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ, ଅନୁଭବକୁ ଦଳରେ ସାମିଲ କରାଇବା ପାଇଁ କଂଗ୍ରେସ ଚେଷ୍ଟା ଚଳାଇଛି । ଆଉ ଦଳ ତାଙ୍କୁ କଟକରୁ ଲୋକସଭା ଟିକେଟ୍ ଦେଇପାରେ । କାରଣ ଭଲ ଅଭିନେତା ହିସାବରେ ଅନୁଭବଙ୍କ ବେଶ ପରିଚୟ ରହିଛି । ତାଙ୍କର ମଜବୁତ ପ୍ରଶଂସକଙ୍କ ଭୋଟ ବ୍ୟାଙ୍କ ରହିଛି । ଏହାକୁ କୌଣସି ଦଳ ଏଡାଇ ଦେଇ ପାରିବେ ନାହିଁ । ତେବେ କଂଗ୍ରେସର ସାଂପ୍ରତିକ ଅବସ୍ଥା ଦେଖି ଅନୁଭବଙ୍କ ଏହି ପୁରାତନ ରାଜନୈତିକ ଦଳରେ ଯୋଗ ଦେବାର ସମ୍ଭାବନା କମ ରହିଛି । ଏମିତି ସ୍ଥିତିରେ ନିଜର ରାଜନୈତିକ ଭବିଷ୍ୟତ ପାଇଁ ବିଜେପି ହିଁ ତାଙ୍କ ପାଇଁ ବଡ ସୁଯୋଗ । ଯଦି ବିଜେପିରେ ସେ ଯୋଗ ଦିଅନ୍ତି ତେବେ ବିଜେପି ତାଙ୍କୁ ନିର୍ବାଚନ ଲଢାଇବାର ଆଶା ଅଧିକ ରହିଛି । ଏମିତି ବି ହୋଇପାରେ ଭର୍ତୃହରିଙ୍କ ଅନୁପସ୍ଥିତିରେ ବିଜେପି ଅନୁଭବଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଗୋଟିଏ ବର୍ଗରେ ଚର୍ଚ୍ଚା ଜୋରଦାର ଚାଲିଛି ।

ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ୨୦୧୩ରେ ବିଜେଡିରେ ଯୋଗ ଦେଇ ରାଜନୀତି ମଇଦାନରେ ପାଦ ଦେଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଏହା ସହିତ ଅନୁଭବ ରାଜ୍ୟସଭାକୁ ମନୋନୀତ ହେବାରେ ସର୍ବକନିଷ୍ଠ ନେତା ହୋଇଥିଲେ । ଏହା ପରେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲେ ।

ଏବେ ସଭିଙ୍କ ନଜର ଭର୍ତୃହରିଙ୍କ ପରବର୍ତୀ ପଦକ୍ଷେପ ଉପରେ ରହିଛି । ବିଗତ ଦିନ ମାନଙ୍କରେ କଟକ ସାଂସଦଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଖିବାକୁ ମିଳିଛି । ବିଭିନ୍ନ ମଂଚରେ ସେ ବିଜେପିର ପ୍ରଶଂସା କରିଛନ୍ତି । ସେ ବିଜେପି ଆଡକୁ ଢଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଗତ ଶୁକ୍ରବାର ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେଖିବାକୁ ବାକି ରହିଲା ଭର୍ତ୍ତୃହରି ବିଜେପିରେ ଯୋଗ ଦେଉଛନ୍ତି କି ନାହିଁ । ଆଉ ଅନୁଭବ ମହାନ୍ତି କଣ ପଦକ୍ଷେପ ନେଉଛନ୍ତି ।