ଅପରାଜିତା ଷଡଙ୍ଗୀ ଦମ୍ଭୋକ୍ତି, କହିଲେ- ୧୫ରୁ ଉର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବୁ, ବିଜେଡିର ୨୫ ବର୍ଷ ବହୁତ ହୋଇଗଲା


ଭୁବନେଶ୍ୱର: ଗତକାଲି ପଂଚମ ପର୍ଯ୍ୟାୟରେ ଓଡିଶାର ଲୋକସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଭୁବନେଶ୍ୱରରୁ ଅପରାଜିତ ଷଡଙ୍ଗୀଙ୍କୁ ପୁଣି ଟିକେଟ୍ ମିଳିଛି । ପୁଣି ଥରେ ପ୍ରାର୍ଥୀ ହେବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏଥରଓଡିଶାରେ ଅଣ୍ଡର କରେଂଟ ଚାଲିଛି, ୧୫ରୁ ଉର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବୁ । ଏଥର ନିଶ୍ଚିତ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ କହିଛନ୍ତି ।

ଅପରାଜିତା କହିଛନ୍ତି, ପ୍ରାର୍ଥୀ ହୋଇଥିବାରୁ ଏବଂ ଦଳ ମୋତେ ପୁନଃ ଭରସା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଉଛି । ସମସ୍ତଙ୍କ ଆସ୍ଥା ରହିଲା ଏବଂ ୫ ବର୍ଷର କାମ ସେମାନଙ୍କୁ ଭଲ ଲାଗିଛି । ଏ ଟିକେଟ୍ ମୋର ନୁହେଁ, ଭୁବନେଶ୍ୱରବାସୀଙ୍କର । ସେମାନେ ହିଁ ନିର୍ବାଚନ ଲଢିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡିଶାର ଲୋକେ ବହୁତ ଭଲ ପାଆନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କର ନାଁ ନେଉଛନ୍ତି କିନ୍ତୁ ଶାସନ ଆଉ ଜଣେ କରୁଛନ୍ତି । ୨୫ ବର୍ଷ ବହୁତ ହେଲାଣି । ମୁଖ୍ୟମନ୍ତ୍ରୀ ଆଗକୁ ଆସୁଥିଲେ ଏମିତି ହୁଅନ୍ତାନି ।

ବିଜେପିର ଟିକେଟ୍ ଘୋଷଣା ପରେ ଦଳୀୟ ମହଲରେ ବେଶ ତତ୍ପରତା ପ୍ରକାଶ ପାଇଛି । ରାତିରୁ ହିଁ ପ୍ରାର୍ଥୀମାନେ ରଣନୀତି ଆରମ୍ଭ କରି ଦେଇଛନ୍ତି । ସେପଟେ ଏହି ତାଲିକା ସଙ୍କେତ ଦେଉଛି ଯେ, ମେଂଟ ନେଇ ସହମତି ନ ହେବା ପରେ ବିଜେପି ବଡ ଲଢେଇ ପାଇଁ ପ୍ରସ୍ତୁତି ଜୋରଦାର କରିଛି ।