ଚିପିଲିମା, (ଅତାବିରା )ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମରେ ସୋମବାର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟିଛି l ଏପରି ଏକ ଦୁଃଖଦ ଘଟଣା ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଏନେଇ ଅତାବିରା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୁଲୁଣ୍ଡା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ପୁଅ ସାଇକ୍ରିଷ୍ଣା ପ୍ରଧାନ (୮) ନିଜ ସାଙ୍ଗ ସାଥିମାନଙ୍କ ସହ ଗ୍ରାମର ମହାଦେବ ପୋଖରିକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗଭୀର ପାଣି ଥିବାରୁ ସେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ । ଅନ୍ୟ ସାଙ୍ଗମାନେ ଦେଖି ଭୟରେ କିଛି କହିପାରିନଥିଲେ ।ଏହି ସମୟରେ ଗ୍ରାମର ସୁଦାମ ସାହୁ ଓ ସଞ୍ଜୟ ପ୍ରଧାନ ଦୁଇଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ, ପିଲାମାନେ ପୋଖରୀ ହୁଡାରେ ଛିଡ଼ା ହୋଇଥିବା ଦେଖି ସେମାନଙ୍କୁ ଘରକୁ ଯିବା ପାଇଁ କହିଥିଲେ ।କିନ୍ତୁ ସେମାନେ ଭୟରେ କିଛି ଉତ୍ତର ନ ଦେଇ ଅବାକ୍ ହୋଇ ଅନେଇ ରହିଥିଲେ । ସେହି ଛୋଟ ପିଲାଙ୍କର ଏମିତି ଅବସ୍ଥା ଦେଖି ସୁଦାମ ଓ ସଞ୍ଜୟ ଘଟଣାକୁ ବୁଝିବାକୁ ଚେଷ୍ଟା କରିବାବେଳକୁ ସାଇକୃଷ୍ଣର ଚପଳ ଓ ଲୁଗା ପଡ଼ି ରହିଥିବା ଦେଖି ପୋଖରୀ ଭିତରକୁ ଯାଇ ଖୋଜା ଖୋଜି କରିଥିଲେ । ଖୋଜିବା ବେଳକୁ ସାଇ କୃଷ୍ଣ ଙ୍କ ଶରୀର ତାଙ୍କ ଗୋଡ଼ରେ ବାଜିଥିଲା ।ସେ ତାକୁ ଉପରକୁ ନେଇ ଆସିଥିଲେ । ପାଣିରୁ ଉଦ୍ଧାର ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।