ଜମନକିରା ଷ୍ଟେଟ୍ ବ୍ୟାଙ୍କରେ ଅଚଳ ଏସି: ଅସହ୍ୟ ଗୁଳୁଗୁଳିରେ ଗ୍ରାହକ ଡହକ ବିକଳ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଶାଖାରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବାରୁ ବ୍ୟାଙ୍କକୁ ଆସୁଥିବା ଶହ ଶହ ଗ୍ରାହକ ଅସହ୍ୟ ଗୁଳୁଗୁଳିରେ ଡହକ ବିକଳ ହେଉଛନ୍ତି। ବ୍ଲକର ଏକ ପ୍ରମୁଖ ଆର୍ଥିକ ପ୍ରତିଷ୍ଠାନ ହୋଇଥିବାରୁ ପ୍ରତିଦିନ ଏହି ଶାଖା ଉପରେ ଅଞ୍ଚଳର ଚାଷୀ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଭତ୍ତାଧାରୀ ଏବଂ ସରକାରୀ କର୍ମଚାରୀମାନେ ନିର୍ଭର କରିଥାଆନ୍ତି। ମାତ୍ର ବ୍ୟାଙ୍କ ପରିସରର ଛାତରେ ଏକାଧିକ କ୍ୟାସେଟ୍ ଏସି ଲାଗିଥିଲେ ସୁଦ୍ଧା ସେଗୁଡ଼ିକ କାର୍ଯ୍ୟକ୍ଷମ ନଥିବାରୁ ବନ୍ଦ କୋଠରୀ ମଧ୍ୟରେ ପବନ ଚଳାଚଳ ବାଧାପ୍ରାପ୍ତ ହୋଇ ଅଣନିଃଶ୍ୱାସୀ ପରିସ୍ଥିତି ସୃଷ୍ଟି ହେଉଛି। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା କିମ୍ବା ପ୍ରତୀକ୍ଷାଳୟରେ ବସିବା ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ବୟସ୍କ ବ୍ୟକ୍ତି, ମହିଳା ଏବଂ ରୋଗୀମାନେ ଅସୁସ୍ଥ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଶାଖା ପରିଚାଳକ ପ୍ରଶାନ୍ତ କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏ ନେଇ ବହୁ ଦିନରୁ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ସମାଧାନ କରାଯାଇ ନାହିଁ ଏବଂ ଖୁବ୍ ଶୀଘ୍ର ଏହାକୁ ସମାଧାନ କରିବା ପାଇଁ ମୁଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ। ଗ୍ରାହକମାନଙ୍କ ସ୍ୱାର୍ଥ ତଥା ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କର ଉଚ୍ଚପଦସ୍ଥ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅଚଳ ଏସି ଗୁଡ଼ିକୁ ମରାମତି କିମ୍ବା ନୂତନ ଭାବେ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

