ପ୍ରଦୀପଙ୍କ ବିରୁଦ୍ଧରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବିଜେଡି


ଭୁବନେଶ୍ୱର: ମେଂଟ ନ ହେବା ପରେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବାକୁ ଯାଉଛି । ତେବେ ଟିକେଟ୍ ଦେବା ଏବଂ ପ୍ରସ୍ତୁତିରେ ବିଜେଡି ଅପେକ୍ଷା ବିଜେପିରେ ଆଗରେ ରହିଛି, ଯାହା ଶାସକ ଦଳର ଚିନ୍ତାକୁ ବଢାଇ ଦେଇଛି । ବିଜେପି ୨୧ ଲୋକସଭା ସିଟରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଏବେ ବି କାହାକୁ କେଉଁଠୁ ପ୍ରାର୍ଥୀ କରିବ ମାନସ ମନ୍ଥନ ଚଳାଇଛି । ବିଜେଡି ଦଳରେ ଏକାଧିକ ଆଶାୟୀ ରହିବାରୁ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଦଳକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ଗଞ୍ଜାମ ବିଜେଡିର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରଦୀପ ନିଜ ଜିଲ୍ଲାରେ ବଳ ଗୋଟାଇବାରେ ଲାଗିଛନ୍ତି । ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ସିଟରୁ ପ୍ରାର୍ଥୀ କରିଛି । ଏବେ ବିଜେଡି ପାଇଁ ବଡ ଭାଳେଣି ପ୍ରଦୀପଙ୍କୁ ଟକ୍କର ଦେବା ପାଇଁ ସେମିତି ଜଣେ ନେତାଙ୍କୁ ବ୍ରହ୍ମପୁରରେ ପ୍ରାର୍ଥୀ କରିବ ।

ବ୍ରହ୍ମପୁରରୁ ସଂସଦୀୟ ପ୍ରାର୍ଥୀ ହୋଇଥିବା ପ୍ରଦୀପ ଏବେ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଗୋଟାଇବାରେ ଲାଗିଛନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ଜିଲ୍ଲା ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । କୁହାଯାଉଛି ପ୍ରଦୀପଙ୍କ ବିରୁଦ୍ଧରେ ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ପତିଆରା ନେତା ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ । ସେଥିପାଇଁ ଦଳରେ ବିଚାର ବିମର୍ଶ ଚାଲିଛି । ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ପରେ ଗଞ୍ଜାମ ବିଜେଡି ଦୁର୍ବଳ ହେବାରେ ଲାଗିିଛି । କାରଣ ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମ ଜିଲ୍ଲାର ସଂଗଠନ ଦାୟିତ୍ୱରେ ଥିଲେ । ତାଙ୍କର ନିଜସ୍ୱ ସଂଗଠନ ରହିବା ସହ ଭୋଟ୍ ବ୍ୟାଙ୍କ ବି ରହିଛି । ଗଞ୍ଜାମ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ କାହାକୁ ଟିକେଟ୍ ଦିଆଯିବ ସେଥିରେ ପ୍ରଦୀପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ।

ଆଉ ପ୍ରଦୀପ ଏବେ ବିଜେପିରୁ ବ୍ରହ୍ମପୁର ଲୋକସଭାରୁ ଲଢିବାକୁ ଯାଉଛନ୍ତି । ଆଉ ତାଙ୍କୁ ଚେକ୍ ଦେବାକୁ ଏବେ ବିଜେଡିରେ ଭାଳେଣି ପଡିଛି । ଗଞ୍ଜାମରେ କେବଳ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବାଦ୍ ଦେଲେ ବିଜେଡି ସଂଗଠନ ସହ ଜଡିତ ଆଉ ପୁରୁଣା ନେତା ନାହାନ୍ତି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ଘଟି ସାରିଛି । ଆଉ ବାକି ସବୁ ଆମଦାନୀ ନେତା । ସେ ବିକ୍ରମ ପଣ୍ଡା ହୁଅନ୍ତୁ କି ଚନ୍ଦ୍ରଶେଖର ସାହୁ ଦୁଇ ନେତା କଂଗ୍ରେସରୁ ଆସିଛନ୍ତି । ଆଉ ଏହାର ଫାଇଦା ବର୍ତମାନ ଉଠାଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ବର୍ତମାନ ବ୍ରହ୍ମପୁରର ସାଂସଦ ଅଛନ୍ତି ଚନ୍ଦ୍ରଶେଖର ସାହୁ । କିନ୍ତୁ ପ୍ରଦୀପଙ୍କ ବିରୁଦ୍ଧରେ ତାଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ନାହିଁ ବିଜେଡି । ତେଣୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କୁ ଦଳ ପ୍ରାର୍ଥୀ କରିପାରେ ।

ମାନସ ମଙ୍ଗରାଜ ମଧ୍ୟ ଗଞ୍ଜାମ ଜିଲ୍ଲାରେ ନିଜର ସଂଗଠନ ସୁଦୃଢ କରିବାରେ ଲାଗିଛନ୍ତି । ସେ ପର୍ଯବେକ୍ଷକ ଦାୟିତ୍ୱ ତୁଲାଇବା ସହ ପ୍ରଦୀପଙ୍କୁ କେମିତି ମାତ୍ ଦିଆଯାଇ ପାରିବ ସେ ନେଇ ସ୍ୱତନ୍ତ୍ର ରଣନୀତି ଉପରେ କାମ କରୁଥିବା କୁହାଯାଉଛି । ପ୍ରଦୀପଙ୍କୁ ଚେକ୍ ଦେବାକୁ ହେଲେ ମାନସ ମଙ୍ଗରାଜଙ୍କ ପରି ଟାଣୁଆ ନେତା ପ୍ରାର୍ଥୀ ହେବା ଉଚିତ୍ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଉଲ୍ଲେଖନୀୟ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗୋପାଳପୁର, ଦିଗପହଣ୍ଡି, ଚିକିଟି, ଛତ୍ରପୁର ଓ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଉଗ୍ର ଅବସ୍ଥାରେ ରହିଛି । ତା ସହ ଗଜପତି ଜିଲ୍ଲାର ଦୁଇ ଆସନ ମୋହନା ଓ ପାରଳାଖେମୁଣ୍ଡି ମଧ୍ୟ ଏହି ସଂସଦୀୟ କ୍ଷେତ୍ରରେ ରହିଛି । ବିଜେଡିର ଗୋଷ୍ଠୀ କନ୍ଦଳର ଫାଇଦା ପ୍ରଦୀପ ନେବାରେ ଲାଗିଛନ୍ତି । ଆଉ ମାନସ ମଙ୍ଗରାଜଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ଯାଉଥିବା କୁହାଯାଉଛି । ସେପଟେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଅଙ୍କ ଛିଣ୍ଡୁନି । ଦଳ ୨୫ ବର୍ଷ ଶାସନରେ ରହିବା ପରେ ବି ୨୦୨୪ରେ ବଡ ଆହ୍ୱାନର ସମ୍ମୁଖୀନ ହେଉଛି । ଲୋକସଭାରେ ପ୍ରାର୍ଥୀ ଦେବାକୁ ଦଳକୁ କେତେ କସରତ କରିବାକୁ ପଡୁଛି ।