Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଜି ପ୍ରକାଶ ପାଇପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ନବୀନ ନିବାସରେ ଏକାଠି ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କ୍ଷେତ୍ରର ନେତା

ଭୁବନେଶ୍ୱର: ଆଜି ପ୍ରକାଶ ପାଇପାରେ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ଏକାଠି ହେଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କ୍ଷେତ୍ରର ନେତା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ନେତା ନବୀନ ନିବାସରେ ପହଂଚିଛନ୍ତି । ପୂର୍ବରୁ ଆସିଥିଲେ, ଆଜି ପୁଣି ଆସିଥିବାରୁ ବଢିଲା ପ୍ରାର୍ଥୀ ଘୋଷଣା ଚର୍ଚ୍ଚା । ସେପଟେ ବିଜେପି ୧୮ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ବିଜେଡିର ତାଲିକା ଉପରେ ସଭିଙ୍କ ନଜର ରହିଛି ।

ବିଜେଡି ୧୭ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରି ସାରିଥିବା ବେଳେ ୪ଟି ଲୋକସଭା କ୍ଷେତ୍ରର ସମୀକ୍ଷା ଖୁବ୍ ଶୀଘ୍ର ସରିଯିବ । ୧୧ ଲୋକସଭା ପ୍ରାର୍ଥୀଙ୍କୁ ଗ୍ରୀନ ସିଗନାଲ ମିଳି ସାରିଥିବା କୁହାଯାଉଛି । ତେଣୁ ହୋଲି ପରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇପାରେ ବୋଲି କୁହାଯାଉଥିଲା । ପୁରୀ, କେନ୍ଦ୍ରାପଡା, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଭୁବନେଶ୍ୱର, ବରଗଡ, କଳାହାଣ୍ଡି, ବଲାଙ୍ଗିର, ଢେଙ୍କାନାଳ, ସୁନ୍ଦରଗଡ, କଟକ, ଜଗତସିଂହପୁର, ଯାଜପୁର ଏବଂ ସମ୍ବଲପୁର ଲୋକସଭା କ୍ଷେତ୍ରର ସମୀକ୍ଷା କରି ସାରିଛି ବିଜେଡି । ତେବେ ପ୍ରଥମ ପର୍ଯ୍ୟାୟରେ କେତୋଟି ଲୋକସଭା ସିଟକୁ ନେଇ ବିଜେଡି ତାଲିକା ଜାରି କରିବ ତାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ ।

ତେବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୁରୀରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, କଟକରୁ ସନ୍ତୃପ୍ତ ମିଶ୍ର, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ ଝିନ ହିକ୍କା, ସୁନ୍ଦରଗଡରୁ ଦିଲୀପ ତିର୍କୀ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱରରୁ ଶ୍ରୀମୟୀ ମିଶ୍ର, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳରୁ ମହେଶ ସାହୁ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇ ପାରନ୍ତି ।