ଭୁବନେଶ୍ୱର: ବହୁ ପ୍ରତୀକ୍ଷା ପରେ ଶେଷରେ ଶାସକ ବିଜୁ ଜନତା ଦଳ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଧାନସଭା ପାଇଁ ୭୨ ତ ଲୋକସଭା ପାଇଁ ୧୫ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରିଛି ଦଳ । ବିଧାନସଭାରେ ଅଧିକାଂଶ ପୁରୁଣା ନେତାଙ୍କୁ ଦଳ ରିପିଟ୍ କରିଥିବା ବେଳେ ଲୋକସଭାରେ କିଛିଟା ପରିବର୍ତ୍ତନ କରିଛି । ବିଜେଡିର ଲୋକସଭା ପ୍ରାର୍ଥୀ ଉପରେ ନଜର ପକାଇଲେ ଆପଣ ଜାଣି ପାରିବେ ଯେ, ବିଜେପି ଓ ବିଜେଡି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ନୁହେଁ ପୁରା କଡା ମୁକାବିଲା ହେବ । ଲୋକସଭା ନିର୍ବାଚନରେ ବିଜେଡି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓତାରିଛି । ତାଙ୍କୁ ସମ୍ବଲପୁର ଲୋକସଭା ସିଟରୁ ପ୍ରାର୍ଥୀ କରିଛି ଦଳ । ଆଉ ଭୁବନେଶ୍ୱରରେ ଦଳ କଂଗ୍ରେସ ନେତା ସୁରଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରି ସଭିଙ୍କୁ ଚକିତ କରିଛି ।
ପୁରୀରୁ ସମ୍ବିତ ପାତ୍ରଙ୍କ ବିରୋଧରେ ବିଜେଡି ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । କଟକରେ ସନ୍ତୃପ୍ତ ମିଶ୍ରଙ୍କୁ ଟିକେଟ୍ ଦେଇଛି ଦଳ । ତେବେ ଏହି ଆସନରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାର ଚିତ୍ର ସ୍ପଷ୍ଟ ଜଣା ପଡିନାହିଁ । ତେବେ ସମ୍ବଲପୁର, ଭୁବନେଶ୍ୱର, ପୁରୀ, କଟକ ଓ ବ୍ରହ୍ମପୁର ଏହି ୫ଟି ଆସନରେ ରୋଚକ ମୁକାବିଲା ହେବାର ସମ୍ଭାବନା ରହିଛି । ତେବେ ବିଜେଡି ବ୍ରହ୍ମପୁରରେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦଳରେ କସରତ ଚାଲିଛି । ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ଫାଇଟ୍ ହେବାକୁ ଯାଉଛି । କାରଣ ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ହାରଜିତ ବ୍ୟବଧାନ ବହୁତ କମ ରହିଥିଲା । ତେବେ ଧର୍ମେନ୍ଦ୍ର ଗତ ୬ ମାସ ଧରି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସଂଗଠନ ଦୃଢ କରିବା ସହ ବିିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସିଛନ୍ତି । ସେମିତିରେ ବି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଦେବଗଡ ଲୋକସଭାରୁ ସାଂସଦ ଥିଲେ । ସମ୍ବଲପୁର ସହ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସଂପର୍କ ଭଲ ରହିଛି । ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ ଯାଜପୁରରୁ ଯାଇ ସମ୍ବଲପୁରରେ ଲଢିବେ । ତାଙ୍କୁ ସମ୍ବଲପୁରବାସୀ କେତେ ଗ୍ରହଣ କରିବେ ତାହା ବଡ ପ୍ରଶ୍ନ ।
ସେହିପରି ଭୁବନେଶ୍ୱରରେ ଅପରାଜିତ ଷଡଙ୍ଗୀଙ୍କ ମଧ୍ୟରେ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୭ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିଲେ ମଧ୍ୟ ଲୋକସଭା ସିଟକୁ ଅପରାଜିତା କବଜା କରିବାରେ ସଫଳ ହୋଇଥିଲେ । ଏହା ସହିତ ରାଜଧାନୀରେ ବିଜେଡିର ଏହି ଗଡକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଧ୍ୱସ୍ତ କରିଥିଲେ । ଅପରାଜିତା ରାଜନୀତି ମଇଦାନକୁ ଓହ୍ଲାଇବା ପରଠୁ ନିଜ ସଂସଦୀୟ କ୍ଷେତ୍ରରେ ସର୍ବଦା ସକ୍ରିୟ ରହିଛନ୍ତି ଏବଂ ନିଜସ୍ୱ ସଂଗଠନ ଗଢିଛନ୍ତି । ୭ ନିର୍ବାଚନ ମଣ୍ଡଳୀ ଉପରେ ଫୋକସ୍ କରି ଆସିଛନ୍ତି । ସେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ନିଜ କାମକୁ ନେଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେପଟେ ପାଇଲଟ୍ ଚାକିରି ଛାଡି ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ମନ୍ମଥ ରାଉତରାୟ । ନମ୍ର ସ୍ୱଭାବର ମନ୍ମଥଙ୍କ ସପକ୍ଷରେ ବାପା ସୁର ରାଉତରାୟଙ୍କ ଭୋଟ୍ ବ୍ୟାଙ୍କ ରହିବାର ସମ୍ଭାବନା ରହିଛି । କେବଳ ଜଟଣୀ ନୁହେଁ ବାକି ୬ ବିଧାନସଭା ମଣ୍ଡଳୀରେ ସୁରଙ୍କ ନିଜସ୍ୱ ଲୋକ ସଂପର୍କ ଏବଂ ଜନାଧାର ରହିଛି, ଯାହା ମନ୍ମଥଙ୍କୁ ମିଳିପାରେ । ସେମିତିରେ ବିଜେଡି ଭୋଟ୍ ହାତେଇବା ସହ ବାପା ସୁରଙ୍କ ଭୋଟ୍ ବ୍ୟାଙ୍କକୁ ନିଜ ଆଡକୁ ଟାଣି ମନ୍ମଥଙ୍କ ଜରିଆରେ ବିଜେଡି ଅପରାଜିତାଙ୍କୁ ମାତ୍ ଦେବାକୁ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି ।
ସେହିପରି ପୁରୀ ଲୋକସଭାରେ ମଧ୍ୟ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ମଧ୍ୟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିପାରେ । ୨୦୧୯ରେ ଯଦିଓ ସମ୍ବିତ ପାତ୍ର ନିର୍ବାଚନ ହାରିଛନ୍ତି କିନ୍ତୁ ତାଙ୍କର ପୁରୀ ସଂସଦୀୟ କ୍ଷେତ୍ରରେ କେମିତି ଜନାଧାର ରହିଛି ତାହା ପ୍ରମାଣିତ କରିଛନ୍ତି । ଏଥିପାଇଁ ତ ଏଥର ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାର ସାହାସ ଜୁଟାଇ ପାରିଲା ନାହିଁ ବିଜେଡି । ସମ୍ବିତ ନିର୍ବାଚନ ହାରିଥିଲେ ମଧ୍ୟ ତାଙ୍କୁ ପୁରୀରେ ସର୍ବଦା ଦେଖିବାକୁ ମିଳିଥାଏ । ସେ ବ୍ୟକ୍ତିଗତ ଭାବେ ପୁରୀ ସଂସଦୀୟ କ୍ଷେତ୍ରର ୭ ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନ ମଜବୁତ କରିବାରେ ଲାଗିଛନ୍ତି । ଅନ୍ୟପଟେ ପୋଲିସ ପ୍ରଶାସନିକ ଚାକିରିରୁ ଅବସର ନେବା ପରେ ଅରୂପ ପଟ୍ଟନାୟକ ୨୦୧୯ରେ ଭୁବନେଶ୍ୱର ଲୋକସଭା ସିଟରୁ ପ୍ରାର୍ଥୀ ହୋଇଥିଲେ ହେଁ ଅପରାଜିତାଙ୍କ ଠାରୁ ପରାଜିତ ହୋଇଥିଲେ । ଏବେ ତାଙ୍କୁ ପୁରୀରେ ସମ୍ବିତ ପାତ୍ରଙ୍କ ସହ ମୁକାବିଲା କରିବାକୁ ପଡିବ । ଗତ କିଛି ଦିନ ହେବ ଅରୂପଙ୍କୁ ପୁରୀରେ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଜଣେ ନେତା ହାରିଥିବା ସତ୍ୱେ ଗତ ୫ ବର୍ଷ ଧରି ଲୋକଙ୍କ ସହ ରହିଛି ଏବଂ ଅନ୍ୟ ଜଣେ ନେତା ଟିକେଟ୍ ପାଇବା ପରେ ପୁରୀକୁ ଲଢିବାକୁ ଆସିଛନ୍ତି । ତେଣୁ ଏହି ଆସନରେ ସମ୍ବିତଙ୍କୁ ହରାଇବା ଅରୂପଙ୍କ ପାଇଁ କାଠିକର ପାଠ ହୋଇପାରେ ।
କର୍ପୋରେଟ୍ ଜଗତରୁ ଆସି ନିକଟରେ ବିଜେଡିରେ ମିଶିଥିବା ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି କଟକ ଲୋକସଭା ସିଟରୁ ପ୍ରାର୍ଥୀ କରିଛି । କାରଣ ୬ ଥରର ସାଂସଦ ଭର୍ତୃହରି ମହତାବ ବିଜେଡି ଛାଡି ସାରିଛନ୍ତି । ତାଙ୍କର ବିଜେପିରେ ମିଶିବା ନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ପାରି ନାହିଁ । ତେଣୁ କଟକରେ ବିଜେପି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଆଉ କିଛି ଦିନ ଭିତରେ ଜଣା ପଡିବ । ଯଦି ଭର୍ତୃହରି ବିଜେପି ପକ୍ଷରୁ ପ୍ରାର୍ଥୀ ହୁଅନ୍ତି ତେବେ କଡା ମୁକାବିଲା ଦେଖିବାକୁ ମିଳିପାରେ । ସନ୍ତୃପ୍ତଙ୍କ ନିକଟରେ ବିଜେଡି ଭୋଟ ବ୍ୟାଙ୍କ ରହିବ ଏବଂ ଭର୍ତୃହରି ପ୍ରାର୍ଥୀ ହେବା ସ୍ଥିତିରେ ତାଙ୍କ ସହ ବିଜେପି ଭୋଟ୍ ଏବଂ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିପାରେ । ତେବେ ସେ ବିଜେପିରେ ମିଶୁଛନ୍ତି କି ନାହିଁ ତାହା ଉପରେ ଏବେ ସଭିଙ୍କ ନଜର ।
ତେବେ ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳରେ ଅଙ୍କକଷା ଚାଲିଛି । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ଗଞ୍ଜାମ ବିଜେଡିର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରଦୀପ ନିଜ ଜିଲ୍ଲାରେ ବଳ ଗୋଟାଇବାରେ ଲାଗିଛନ୍ତି । ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ସିଟରୁ ପ୍ରାର୍ଥୀ କରିଛି । ଏବେ ବିଜେଡି ପାଇଁ ବଡ ଭାଳେଣି ପ୍ରଦୀପଙ୍କୁ ଟକ୍କର ଦେବା ପାଇଁ ସେମିତି ଜଣେ ନେତାଙ୍କୁ ବ୍ରହ୍ମପୁରରେ ପ୍ରାର୍ଥୀ କରିବ । ବ୍ରହ୍ମପୁରରୁ ସଂସଦୀୟ ପ୍ରାର୍ଥୀ ହୋଇଥିବା ପ୍ରଦୀପ ଏବେ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଗୋଟାଇବାରେ ଲାଗିଛନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ଜିଲ୍ଲା ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । କୁହାଯାଉଛି ପ୍ରଦୀପଙ୍କ ବିରୁଦ୍ଧରେ ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ପତିଆରା ନେତା ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ । ସେଥିପାଇଁ ଦଳରେ ବିଚାର ବିମର୍ଶ ଚାଲିଛି । ମାନସ ମଙ୍ଗରାଜ ମଧ୍ୟ ଗଞ୍ଜାମ ଜିଲ୍ଲାରେ ନିଜର ସଂଗଠନ ସୁଦୃଢ କରିବାରେ ଲାଗିଛନ୍ତି । ସେ ପର୍ଯବେକ୍ଷକ ଦାୟିତ୍ୱ ତୁଲାଇବା ସହ ପ୍ରଦୀପଙ୍କୁ କେମିତି ମାତ୍ ଦିଆଯାଇ ପାରିବ ସେ ନେଇ ସ୍ୱତନ୍ତ୍ର ରଣନୀତି ଉପରେ କାମ କରୁଥିବା କୁହାଯାଉଛି । ପ୍ରଦୀପଙ୍କୁ ଚେକ୍ ଦେବାକୁ ହେଲେ ମାନସ ମଙ୍ଗରାଜଙ୍କ ପରି ଟାଣୁଆ ନେତା ପ୍ରାର୍ଥୀ ହେବା ଉଚିତ୍ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।