ଭୁବନେଶ୍ୱର: ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଆଜି ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେବାର ସମ୍ଭାବନା ଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାରଣ ଗତ ୨୨ ତାରିଖରେ ବିଜେଡି ଛାଡିବା ପରଠୁ ଭର୍ତ୍ତୃହରିଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହୋଲି ଦିନ ବିଜେପି ନେତାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ବିଜେପିରେ ମିଶିବା ପରେ ତାଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମିତି ହେଲେ ଐତିହାସିକ କଟକ ସଂସଦୀୟ କ୍ଷେତ୍ରରେ ଭର୍ତ୍ତୃହରି ବନାମ ସଂତୃପ୍ତ ମିଶ୍ର ଲଢେଇ ଦେଖିବାକୁ ମିଳିବ ।
ସୂଚନାଯୋଗ୍ୟ, ୧୯୯୮ରୁ ଭର୍ତ୍ତୃହରି କ୍ରମାଗତ ଷଷ୍ଠ ଥର କଟକ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତି ଆସିଛନ୍ତି । ତେବେ ବିଜେପିରେ ଯୋଗ ଦେଇ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ପୁଣି ଥରେ କଟକ ଆସନରୁ ନିର୍ବାଚନ ଲଢି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ଅମୂଳକ ମଧ୍ୟ ନୁହେଁ । କାରଣ ବିଜେପି ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି । କିନ୍ତୁ କଟକରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନାହିଁ । ବୋଧହୁଏ ଏହି ଆସନରୁ ଭର୍ତ୍ତୃହରିଙ୍କୁ ଦଳରେ ମିଶିବା ପରେ ପ୍ରାର୍ଥୀ କରିପାରେ ବିଜେପି ।
ବିଗତ ଦିନ ମାନଙ୍କରେ କଟକ ସାଂସଦଙ୍କୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିଲା । ଏକ ପ୍ରକାର ସେ ଦଳଠୁ ଦୂରେଇ ରହିଥିଲେ । କିନ୍ତୁ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନେକ ଥର ଗୁଣଗାନ କରିଛନ୍ତ। ରାଜ୍ୟର ଅନେକ କାର୍ଯ୍ୟକ୍ରମରେ ଗୋଟିଏ ମଂଚରେ ଭର୍ତ୍ତୃହରିଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଖିବାକୁ ମିଳିଛି । ବିଭିନ୍ନ ମଂଚରେ ସେ ବିଜେପିର ପ୍ରଶଂସା କରିଛନ୍ତି । ସେ ବିଜେପି ଆଡକୁ ଢଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦେଖିବାକୁ ବାକି ରହିଲା ଭର୍ତ୍ତୃହରି ବିଜେପିରେ ଯୋଗ ଦେଉଛନ୍ତି କି ନାହିଁ ।
ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କଟକ ଲୋକସଭା ସିଟ ବିଜେଡିର ଗଡ ରହି ଆସିଛି । ଏହି ଆସନରୁ ଜିତିବା ପାଇଁ ଭର୍ତୃହରିଙ୍କୁ ସେତେଟା ପରିଶ୍ରମ କରିବାକୁ ପଡିନାହିଁ । ଏହି ଆସନରୁ ବିଜେଡି ଗତ କିଛି ଦିନ ପୂର୍ବେ ବିଜେଡିରେ ମିଶିଥିବା କର୍ପୋରେଟ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । କଟକ ସହରରେ ମଧ୍ୟ ସନ୍ତୃପ୍ତଙ୍କ ଭଲ ପରିଚୟ ରହିଛି । କଟକର ଗ୍ରାମାଚଂଳରୁ ଯେଉଁ ସବୁ ଭୋଟ୍ ଭର୍ତୃହରିଙ୍କୁ ମିଳୁଥିଲା ସେହି ଭୋଟ୍ ମଧ୍ୟ ବିଜେଡିର ନୂତନ ପ୍ରାର୍ଥୀଙ୍କୁ ମିଳିପାରେ । କଟକ ଲୋକସଭା କ୍ଷେତ୍ରରେ ଖଣ୍ଡପଡା, ବଡମ୍ବା, ଆଠଗଡ, ବାଙ୍କି, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର ନିର୍ବାଚନ ମଣ୍ଡଳୀ ରହିଛି । କେତେ ବେଳେ ଭର୍ତୃହରି ବିଜେପିରେ ସାମିଲ ହେଉଛନ୍ତି ଏହା ଉପରେ ସଭିଙ୍କ ନଜର ।