ଭୁବନେଶ୍ୱର: ବିଜେପି ୧୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲେ ହେଁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ । ଅନ୍ୟପଟେ ଗତକାଲି ବିଜେଡି ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ଟି ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଦଳ ପୁରୁଣା ଚେହେରା ଅଧିକ ରହିଛନ୍ତି । ଏବେ ସଭିଙ୍କ ନଜର ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା ଉପରେ ରହିଛି। ତେବେ ଖୁବ୍ ଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ବିଜେପି ଘୋଷଣା କରିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସେ କହିଛନ୍ତି ଦିନେ ଦୁଇ ଦିନରେ ତାଲିକା ଆସିପାରେ । ଏଥିପାଇଁ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଛି । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ସରିଛି । କେବଳ ସିଇସି ମୋହର ବାକି ରହିଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଆଧାରରେ ପ୍ରାର୍ଥୀ ଘୋଷଣା ହେବ । ପାଖାପାଖି ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ବିଜେପି ଓଡିଶାର ୨୧ ଲୋକସଭା ସିଟରୁ ୧୮ଟିରେ ପ୍ରାର୍ଥୀ ଘୋଷଣା କରି ସାରିଛି । ଏଥିରେ ୪ ସାଂସଦଙ୍କ ଟିକେଟ୍ କଟିଥିବା ବେଳେ ୬ ଜଣ ନୂଆ ଚେହେରା ରହିଛନ୍ତି । ୪ ସାଂସଦଙ୍କୁ ପୁଣି ଥରେ ରିପିଟ୍ କରାଯାଇଥିବା ବେଳେ ଗତ ନିର୍ବାଚନରେ ପରାଜିତ ୮ ଲୋକସଭା ପ୍ରାର୍ଥୀ ଉପରେ ଦଳ ପୁଣି ଥରେ ଭରସା ରଖିଛି । ଆଉ ଏବେ ବିଧାନସଭା ପ୍ରାର୍ଥୀ ଉପରେ ସଭିଙ୍କ ନଜର ରହିଛି ।