ବିଜେପିକୁ ବଡ ଝଟକା, ଦଳ ଛାଡିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା


ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ବିଜେପିକୁ ଲାଗିଛି ବଡ ଝଟକା । ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ପ୍ରକାଶ ଚନ୍ଦ୍ର ବେହେରା କଟକ ଜିଲ୍ଲା ବିଜେପି ସଭାପତି ଥିଲେ । ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରୟାସ କରିଛି । ତା ସହିତ ଦଳ ଯେପରି ମାଇଲଖୁଂଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି । କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରିନି । ତେଣୁ ଆଜି ମୁଁ ବିଜେପିରୁ ଇସ୍ତଫା ଦେଉଛି । ବିଜେପି ଛାଡିବା ପରେ ପ୍ରକାଶଙ୍କ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏପରିକି ବିଜେଡିରେ ଯୋଗ ଦେଲେ ତାଙ୍କୁ ସାଲେପୁର ବିଧାନସଭା ସିଟରୁ ଟିକେଟ୍ ମିଳିପାରେ ବୋଲି କୁହାଯାଉଛି । ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ସାଲେପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ, ପ୍ରକାଶ ଚନ୍ଦ୍ର ବେହେରା ୨୦୧୯ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଉକ୍ତ ନିର୍ବାଚନରେ ସେ ବିଜେପି ଟିକେଟରେ ସାଲେପୁର ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ।