ବିଜେପିର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡାନ୍ତ, ଶୀଘ୍ର ଘୋଷଣା ହେବ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା


ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଓଡିଶାର ୧୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି ବିଜେପି । କିନ୍ତୁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ସେଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିଥିଲା । ଏଥିରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଉପରେ ବିସ୍ତୃତ ଆଲୋଚନା ହୋଇ ସେଥିରେ ମୋହର ବାଜିଛି । ଆଜି କିମ୍ବା ଆସନ୍ତାକାଲି ବିଜେପି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।

ଗତକାଲି ବସିଥିବା ବୈଠକରେ ବିଜେପି ରାଷ୍ଟଧ୍ୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସଂଗଠନ ସଂପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ । ପାଖାପାଖି ତିନି ଘଂଟା ଧରି ଆଲୋଚନା ହୋଇଥିଲା । ଆଉ ବୈଠକରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିଛି । ଉଲ୍ଲେଖନୀୟ ବିଧାସନଭା ପ୍ରାର୍ଥୀ ଘୋଷଣା କରି ଆଗୁଆ ରହିଛି। ଏହା ସହିତ ବିଜେପିକୁ ଆଉ ତିନୋଟି ଲୋକସଭା ସିଟ୍ କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିବାର ଅଛି । ଭର୍ତୃହରି ଗତକାଲି ବିଜେପିରେ ମିଶିବା ପରେ କଟକରୁ ସେ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଅବଶିଷ୍ଟ ୨ଟି ଆସନ ପାଇଁ ମଧ୍ୟ ମୋହର ବାଜିଥିବା କୁହାଯାଉଛି । ତେବେ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ଜଣା ପଡିନାହିଁ ।

ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ କଟକର ଛଅ ଥରର ସାଂସଦ ଭର୍ତୃହରି ମହତାବ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ । ସିଦ୍ଧାନ୍ତଙ୍କୁ କେଉଁଠୁ ପ୍ରାର୍ଥୀ କରାଯିବ ସେ ନେଇ ମଧ୍ୟ ଜଣା ପଡିନାହିଁ । କିନ୍ତୁ ତାଙ୍କୁ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ତେବେ ଘୋଷଣା ହେବାକୁ ଥିବା ୧୦୦ ବିଧାନସଭା ପ୍ରାର୍ଥୀ ତାଲିକାରେ ପୁରୁଖା ନେତାଙ୍କ ସହ ନୂଆ ମୁହଁକୁ ଦେଖିବାକୁ ମିଳିପାରେ । ଗତକାଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇ ସାରିଛି ଦିନେ କି ଦୁଇ ଦିନ ଭିତରେ ଘୋଷଣା କରାଯିବ ।