ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ଏଥିରେ ସବୁଠୁ ଅଧିକ କ୍ଷତି ସହୁଛି ବିଜୁ ଜନତା ଦଳ । ଜଣେ ପରେ ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି । ଏହିକ୍ରମରେ ଶନିବାର ବିଜେଡିକୁ ଲାଗିଛି ବଡ ଝଟକା । ଦଳ ଛାଡିଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର । ପ୍ରିୟଦର୍ଶୀ ମିଶ୍ର ଉତର ଭୁବନେଶ୍ୱର ପୂର୍ବତନ ବିଧାୟକ । ଦଳରେ ତାଙ୍କୁ ନିରନ୍ତର ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଆଜି ବିଜେଡି ଛାଡିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଉତର ଭୁବନେଶ୍ୱରରୁ ଟିକେଟ୍ ପାଇଁ ସେ ଆଶାୟୀ ଥିଲେ । ବିଜେଡି ଛାଡିବା ପରେ ତାଙ୍କର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।
ବିଜେଡିରୁ ଇସ୍ତଫା ପରେ ନିଜ ପ୍ରତିକ୍ରିୟାରେ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହ କାମ କରିଛି । ୩୦ ବର୍ଷ ଧରି ଏହି ଦଳ ସହ ରହିଛି । କିନ୍ତୁ ମୋତେ କ୍ରମାଗତ ଅବହେଳା କରାଗଲା । ପୂର୍ବରୁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇଥିଲି । ଗତ ୫ ବର୍ଷ ହେଲା କୌଣସି ଦଳୀୟ କାର୍ଯ୍ୟରେ ମୋତେ ଡକାଯାଉ ନ ଥିଲା । ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦବୋଧ କଲି । ଦଳରେ ଅଲୋଡା ପାଲଟିବାରୁ ଛାଡିବାକୁ ନିଷ୍ପତି ନେଲି । ୨୦୧୯ରେ ପ୍ରାର୍ଥୀ କରିବେ ବୋଲି ଆଶା କରିଥିଲେ । ଆଉ ଏବେ ପୁଣି ଥରେ ଧୋକା ଦିଆଯାଉଥିବା ଜାଣିବା ପରେ ଦଳ ଛାଡିଛି ବୋଲି ପ୍ରିୟଦର୍ଶୀ ମିଶ୍ର କହିଛନ୍ତି ।
ସେ କହିଛନ୍ତି ନିର୍ବାଚନ ଲଢିବି ବୋଲି ଆଗରୁ କହିଛି ଏବଂ ଏଥର ଲଢିବି । ଦଳ ସହ ପ୍ରଥମରୁ ଯେଉଁମାନେ ଅଛନ୍ତି ସେମାନେ ଏବେ ଅଲୋଡା ହୋଇ ଯାଇଛନ୍ତି । ପୂର୍ବରୁ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା । ପୁଣି ଅଧାରୁ ଦାୟିତ୍ୱ ଛାଡିବାକୁ କୁହାଯାଇଥିଲା । ତା ସହ ପାର୍ଟି ପାଇଁ କାମ କର ଏବଂ ୨୦୨୪ରେ ନିର୍ବାଚନ ଲଢିବ ବୋଲି କୁହାଯାଇଥିଲା । କିନ୍ତୁ କିଛି ଦାୟିତ୍ୱ ଦିଆଗଲା ନାହିଁ । ବାରମ୍ବାର ଅବହେଳା କରାଗଲା । ଦଳ ପାଇଁ ଅଲୋଡା ହେଉଥିବା ହୃଦବୋଧ କରିବାରୁ ଆଜି ଦଳ ଛାଡିବାକୁ ନିଷ୍ପତି ନେଇଛି ବୋଲି ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ଏହା କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୪ରେ ଉତର ଭୁବନେଶ୍ୱର ସିଟରୁ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନ ଥିଲା । ତେବେ ତାଙ୍କର ପରବର୍ତୀ ପଦକ୍ଷେପ କଣ ହେବ ସେ କହି ନାହାନ୍ତି । ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତୀ ନିଷ୍ପତି ନେବି ବୋଲି ସେ କହିଛନ୍ତି । ତେବେ ତାଙ୍କର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।