ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କିଛି ସମୟ ପୂର୍ବରୁ ବିଜେଡି ଛାଡିଥିଲେ


ଭୁବନେଶ୍ୱର: ବିଜେଡି ଛାଡିବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି ଉତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ଦଳ ତାଙ୍କୁ ଉତର ଭୁବନେଶ୍ୱରରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ବିଜେଡିକୁ କ୍ରମାଗତ ଝଟକା ପରେ ଝଟକା ଲାଗି ଚାଲିଛି ।

ପ୍ରିୟଦର୍ଶୀ ମିଶ୍ର ଉତର ଭୁବନେଶ୍ୱର ପୂର୍ବତନ ବିଧାୟକ । ଦଳରେ ତାଙ୍କୁ ନିରନ୍ତର ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଆଜି ବିଜେଡି ଛାଡିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଉତର ଭୁବନେଶ୍ୱରରୁ ଟିକେଟ୍ ପାଇଁ ସେ ଆଶାୟୀ ଥିଲେ । ବିଜେଡିରୁ ଇସ୍ତଫା ପରେ ନିଜ ପ୍ରତିକ୍ରିୟାରେ ପ୍ରିୟଦର୍ଶୀ ମିଶ୍ର କହିଥିଲେ, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହ କାମ କରିଛି । ୩୦ ବର୍ଷ ଧରି ଏହି ଦଳ ସହ ରହିଛି । କିନ୍ତୁ ମୋତେ କ୍ରମାଗତ ଅବହେଳା କରାଗଲା । ପୂର୍ବରୁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇଥିଲି । ଗତ ୫ ବର୍ଷ ହେଲା କୌଣସି ଦଳୀୟ କାର୍ଯ୍ୟରେ ମୋତେ ଡକାଯାଉ ନ ଥିଲା । ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦବୋଧ କଲି । ଦଳରେ ଅଲୋଡା ପାଲଟିବାରୁ ଛାଡିବାକୁ ନିଷ୍ପତି ନେଲି । ୨୦୧୯ରେ ପ୍ରାର୍ଥୀ କରିବେ ବୋଲି ଆଶା କରିଥିଲେ । ଆଉ ଏବେ ପୁଣି ଥରେ ଧୋକା ଦିଆଯାଉଥିବା ଜାଣିବା ପରେ ଦଳ ଛାଡିଛି ବୋଲି ପ୍ରିୟଦର୍ଶୀ ମିଶ୍ର କହିଥିଲେ ।

ସେ କହିଛନ୍ତି ନିର୍ବାଚନ ଲଢିବି ବୋଲି ଆଗରୁ କହିଛି ଏବଂ ଏଥର ଲଢିବି । ଦଳ ସହ ପ୍ରଥମରୁ ଯେଉଁମାନେ ଅଛନ୍ତି ସେମାନେ ଏବେ ଅଲୋଡା ହୋଇ ଯାଇଛନ୍ତି । ପୂର୍ବରୁ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା । ପୁଣି ଅଧାରୁ ଦାୟିତ୍ୱ ଛାଡିବାକୁ କୁହାଯାଇଥିଲା । ତା ସହ ପାର୍ଟି ପାଇଁ କାମ କର ଏବଂ ୨୦୨୪ରେ ନିର୍ବାଚନ ଲଢିବ ବୋଲି କୁହାଯାଇଥିଲା । କିନ୍ତୁ କିଛି ଦାୟିତ୍ୱ ଦିଆଗଲା ନାହିଁ । ବାରମ୍ବାର ଅବହେଳା କରାଗଲା । ଦଳ ପାଇଁ ଅଲୋଡା ହେଉଥିବା ହୃଦବୋଧ କରିବାରୁ ଆଜି ଦଳ ଛାଡିବାକୁ ନିଷ୍ପତି ନେଇଛି ବୋଲି ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର କହିଥିଲେ ।

ପ୍ରିୟଦର୍ଶୀଙ୍କ ପରେ ଅଭିନେତା ତଥା କରୋଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ବିଜେପିରେ ମିଶିବାର ସମ୍ଭାବନା ରହିଛି । ନିର୍ବାଚନ ପାଖେଇବା ସହ ବିଜେଡିରୁ ଟାଣୁଆ ନେତା ଦଳ ଛାଡି ବିଜେପିରେ ମିଶିବାର ଲାଗିଛନ୍ତି । ଏହିପରି ବିଜେପି ନିଜର ଶକ୍ତି ବୃଦ୍ଧି କରିବା ସହ ବିଜେଡିର ଚିନ୍ତା ବଢାଇ ଦେଇଛି ।