ଭୁବନେଶ୍ୱର: ଶାସକ ବିଜେଡି ପରି ଶନିବାର କଂଗ୍ରେସକୁ ମଧ୍ୟ ବହୁତ ବଡ ଝଟକା ଲାଗିଛି । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଜଗତସିଂହପୁରର ପୂର୍ବତନ ବିଧାୟକ ହେଉଛନ୍ତି ଚିରଞ୍ଜୀବ ବିଶ୍ୱାଳ । ତେବେ କଂଗ୍ରେସ କାହିଁକି ଛାଡିଲେ କାରଣ ଜଣା ପଡିନାହିଁ । ତାଙ୍କର ବିଜେଡିରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ ଯାଏ ସେ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜୀବ । ୨୦୧୯ରେ ଏହି ଆସନରୁ ଲଢି ପରାଜିତ ହୋଇଥିଲେ । ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ । ଏହା ସହ ବିଧାନସଭାର ବିରୋଧୀ ଦଳ ନେତା ଦାୟିତ୍ୱରେ ଥିଲେ । ତେବେ ଗତ ବର୍ଷ ଜୁଲାଇ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚିରଞ୍ଜୀବଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ପିସିସି ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରି କିଛି ମାସ ପରେ ତାଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହାର କରିଥିଲେ । କିନ୍ତୁ ଦଳ ପ୍ରତି ସେ ଅସନ୍ତୁଷ୍ଟ ଥିଲେ ।
ଚିରଞ୍ଜୀବଙ୍କ ଇସ୍ତଫା କଂଗ୍ରେସକୁ ବଡ ଧକ୍କା ଦେଇଛି । କାରଣ ସେ ଜଗତସିଂହପୁରର ଟାଣୁଆ ନେତା ଥିଲେ । ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ । ତାଙ୍କ ଭାଇ ରଞ୍ଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସଭା ସାଂସଦ ଥିଲେ । ଚିରଞ୍ଜୀବଙ୍କ ସହ ରଞ୍ଜୀବ ମଧ୍ୟ ବିଜେଡିରେ ମିଶି ପାରନ୍ତି ।